ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କୀ ଲିଙ୍କର ପର୍ଦ୍ଦାଫାଶ। ଏନଆଇଏର ଘନଘନ ଚଢ଼ାଉ। 

132

କନକ ବ୍ୟୁରୋ: ଭାରତରେ ଅପରାଧିକ ଗତିବିଧିରେ ଲିପ୍ତ ଥିବା କିଛି ଗ୍ୟାଙ୍ଗଷ୍ଟର ଓ ଆତଙ୍କୀଙ୍କୁ ବିଭିନ୍ନ ରାଜ୍ୟରୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ବଡ଼ କଥା ହେଉଛି ଗ୍ୟାଙ୍ଗଷ୍ଟରଙ୍କର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଖଲିସ୍ଥାନୀ ଆତଙ୍କୀଙ୍କ ସହ ଲିଙ୍କ ଥିବା ପର୍ଦ୍ଦାଫାଶ ହୋଇଛି । କିଛି ଅଭିଯୁକ୍ତ ଆତଙ୍କୀ ସହିତ ସମ୍ପୃକ୍ତି ମଧ୍ୟ ସ୍ୱୀକାର କରିଛନ୍ତି । ଏବେ ଏହି ଗ୍ୟାଙ୍ଗଷ୍ଟରଙ୍କ ‘ଆତଙ୍କୀ କନେକ୍ସନ୍’ ଲିଙ୍କ ପାଇଁ ଏନଆଇଏ ତନାଘନା ଜୋରଦାର କରିଦେଇଛି । ଟେରର୍ ଫଣ୍ଡିଂ ଓ ଦେଶରେ ଆତଙ୍କବାଦୀ ଗତିବିଧିର ତଦନ୍ତ କରୁଥିବା ଏନଆଇଏ ୧୦ ଗ୍ୟାଙ୍ଗଷ୍ଟରଙ୍କ ୬୦ଟି ଠିକଣା ଉପରେ ଚଢ଼ାଉ କରିଛି ।

ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଗୋଲ୍ଡି ବ୍ରାର ନାମକ ଗ୍ୟାଙ୍ଗଷ୍ଟର୍ କାନାଡାରେ ବସି ସିଦ୍ଧୁ ମୁସେୱାଲା ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା । ତିହାର ଜେଲରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇ ମଧ୍ୟ ଏଥିରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲା । ଏହି ଗ୍ୟାଙ୍ଗ ପୋଲିସ୍ ବ୍ୟତୀତ ତଦନ୍ତକାରୀ ସଂସ୍ଥା ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲେ । ଏହି ଗ୍ୟାଙ୍ଗଷ୍ଟରଙ୍କ ନେଟୱର୍କ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା ସମେତ କିଛି ରାଜ୍ୟରେ ରହିଥିବା ଜଣାପଡ଼ିଛି । ଏହି ତାଲିକାରେ ଜିତେନ୍ଦ୍ର ଗୋଗୀ ମଧ୍ୟ ସାମିଲ୍ ଅଛନ୍ତି, ଯାହାର ହତ୍ୟା ରୋହିଣୀ କୋର୍ଟରେ କରାଇଯାଇଥିଲା । ଏହା ସତ୍ୱେ ଏହି ଗ୍ୟାଙ୍ଗ ପୂରା ସକ୍ରିୟ ରହିଛି ।

ଏନଆଇଏ ତଦନ୍ତରେ ଜଣାପଡ଼ିଛି ଯେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ହୋଇଥିଲା । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସୁଟର ଦୀପକ ମୁଣ୍ଡି ଗିରଫ ହେବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ରବିବାର ପଞ୍ଜାବ ପୋଲିସ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଦୀପକକୁ ଗିରଫ କରିଥିଲା । ଏହାପରେ ସଲମାନ ଖାନଙ୍କୁ ହତ୍ୟା କରିବା ନେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ମିଳିତ ଭାବେ ହତ୍ୟା ଯୋଜନା କରିଥିବା ଜଣାପଡିଛି । ରାଜସ୍ଥାନ କୃଷ୍ଣସାର ମୃଗ ଶିକାର ଘଟଣାରେ ସଲମାନ ଖାନ, ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟରେ ଆସିଥିଲେ ।

ଚଳିତ ବର୍ଷ ମେ’ ୨୯ ତାରିଖରେ ପଞ୍ଜାବର ମାନସା ଗାଁରେ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସେହି ସମୟରେ ଘଟିଥିଲା, ଯେଉଁ ସମୟରେ ଭଗୱନ୍ତ ସରକାରଙ୍କ ନିର୍ଦ୍ଦେଶକ୍ରମେ ପଞ୍ଜାବ ପୋଲିସ୍ ୪୨୪ ଜଣଙ୍କୁ ଦିଆଯାଇଥିବା ସୁରକ୍ଷାକୁ ହଟାଇ ଦିଆଯାଇଥିଲା । ଏଥିରେ ମୁସେୱାଲା ମଧ୍ୟ ସାମିଲ୍ ଥିଲେ ।