ବହୁଚର୍ଚ୍ଚିତ ଜ୍ଞାନବାପୀ ମାମଲା: ହିନ୍ଦୁ ପକ୍ଷ ଆବେଦନ ଗ୍ରହଣ, ମୁସଲିମ୍ ପକ୍ଷ ଆବେଦନ ଖାରଜ ।

64

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଜ୍ଞାନବାପୀ ମସଜିଦ୍ – ଶୃଙ୍ଗାର ଗୌରୀ ମନ୍ଦିର ବିବାଦ ମାମଲାରେ ହିନ୍ଦୁପକ୍ଷ ଆବେଦନର ଶୁଣାଣି କରିଛନ୍ତି ବାରଣାସୀ ଜିଲ୍ଲା କୋର୍ଟ । ଜିଲ୍ଲା କୋର୍ଟର ବିଚାରପତି ଅଜୟ କ୍ରିଷ୍ଣା ବିଶ୍ୱେଶ ଏହି ଶୁଣାଣି କରିଛନ୍ତି । ଏହାସହ ମୁସଲିମ୍ ପକ୍ଷ ତରଫରୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ । କୋର୍ଟ ସ୍ୱୀକାର କରିଛନ୍ତି ଯେ ଜ୍ଞାନବାପୀ ପରିସରରେ ପୂଜା କରିବାର ଅଧିକାର ପାଇଁ ଦାବି କରିଥିବା ୫ ହିନ୍ଦୁ ମହିଳାଙ୍କ ଦ୍ୱାରା କରାଯାଇଥିବା ମାମଲା ‘ଶୁଣାଣି ଯୋଗ୍ୟ’ । ଏହି ମାମଲାର ପରବର୍ତୀ ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ ।

ମୁସଲିମ୍ ପକ୍ଷ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି । ମୁସଲିମ୍ ପକ୍ଷ ଏବେ ମାମଲାରେ ଆଇନର ସହାୟତା ନେବେ । ସେପଟେ କୋର୍ଟଙ୍କ ରାୟଙ୍କୁ ବଡ଼ ବିଜୟ ବୋଲି କହିଛନ୍ତି ହିନ୍ଦୁପକ୍ଷଙ୍କ ଓକିଲ ବିଷ୍ଣୁଶଙ୍କର ଜୈନ । ସେ କହିଛନ୍ତି, ଏହି ମାମଲା ସାମ୍ବିଧାନିକ ଦୃଷ୍ଟିକୋଣରୁ ଆଗକୁ ବଢ଼ିଛି । ଆଗକୁ ପୂଜା କରିବାର ଅଧିକାର ଓ ସିଭିଲ କୋର୍ଟଙ୍କ ଦ୍ୱାରା ଏହି ମସଜିଦରେ କରାଯାଇଥିବା ବୈଜ୍ଞାନିକ ଯାଞ୍ଚ କରିବାକୁ ଦାବି କରାଯିବ ବୋଲି ସେ କହିଛନ୍ତି ।

କ’ଣ ପୂରା ମାମଲା?
– ଅଗଷ୍ଟ ୨୧, ୨୦୨୧ରେ ୫ଜଣ ମହିଳା ସିଭିଲ୍ ଜଜଙ୍କ ନିକଟରେ ଏକ ମାମଲା ଦାୟର କରିଥିଲେ
– ମହିଳାମାନେ ଜ୍ଞାନବାପୀ ମସଜିଦକୁ ଲାଗିଥିବା ଶୃଙ୍ଗାର ମନ୍ଦିରରେ ପ୍ରତିଦିନ ପୂଜା ଓ ଦର୍ଶନ କରିବାକୁ ଦାବି କରିଥିଲେ
– ମହିଳାଙ୍କ ଦାବି ଆଧାରରେ ବିଚାରପତି ରବି କୁମାର ଦିବାକର ମସଜିଦ୍ ପରିସରର ସର୍ଭେ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ
– କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ମେ’ ୧୪, ୧୫, ୧୬ ତାରିଖରେ ଜ୍ଞାପବାପୀ ମସଜିଦର ସର୍ଭେ କରାଯାଇଥିଲା
– ସର୍ଭେ ପରେ ହିନ୍ଦୁପକ୍ଷର ଓକିଲ ବିଷ୍ଣୁ ଜୈନ ଏଠାରେ ଶିବଲିଙ୍ଗ ମିଳିଥିବା ଦାବି କରିଥିଲେ
– ମୁସଲିମ୍ ପକ୍ଷରୁ ଏହା ଶିବଲିଙ୍ଗ ନୁହେଁ ବରଂ ଏକ ଫାଉଂଟେନ୍, ଯାହା ପ୍ରତ୍ୟେକ ମସଜିଦରେ ଥାଏ ବୋଲି ଦାବି କରିଥିଲେ
– ଏହା ପରେ ମେ’ ୨୦ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାକୁ ସିଭିଲ୍ କୋର୍ଟରୁ କାଢ଼ି ଜିଲ୍ଲା କୋର୍ଟଙ୍କୁ ଟ୍ରାନ୍ସଫର କରିଥିଲେ
– କୋର୍ଟ କହିଥିଲେ ଯେ ଏହି ମାମଲା ବହୁତ ‘ଜଟିଳ’ ଓ ‘ସମ୍ବେଦନଶୀଳ’
– ସେଥିପାଇଁ ମାମଲାର ଶୁଣାଣି ୨୫-୩୦ ବର୍ଷର ଅଭିଜ୍ଞତା ରଖିଥିବା ବିଚାରପତି କରିବା ଦରକାର

ଶୁଣାଣି ପୂର୍ବରୁ ବାରଣାସୀରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିଲା । କୋର୍ଟ ପରିସରରେ ଶହଶହ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଏଥିସହ ପୂରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଥିଲା ।