ମୟୂରଭଞ୍ଜ ଜିଲ୍ଲା ବେଲପାଳ ଗାଁରେ ଅଘଟଣ । ଜମିଜମା ବିବାଦକୁ ନେଇ ପୋଲିସ ଗାଡ଼ି ଭଙ୍ଗାରୁଜା ।

107

କନକ ବ୍ୟୁରୋ : ଉଗ୍ର ହେଲା ଜମି ବିବାଦ । ମୟୂରଭଞ୍ଜ ବଡ଼ସାହି ଥାନା ବେଲପାଳ ଗାଁରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ । ଢେଲା ମାଡ଼ରେ ବେତନଟୀ ଏସଡିପିଓଙ୍କ ମୁଣ୍ଡ ଫାଟିବା ସହ ବଡ଼ସାହି ଆଇଆଇସି ଓ ଜଣେ ମହିଳା ସବଇନସ୍ପେକ୍ଟର ଆହତ ହୋଇଛନ୍ତି । ସମସ୍ତଙ୍କୁ ବଡ଼ସାହି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ବାରିପଦାକୁ ସ୍ଥାନାନ୍ତର କରାଯାଇଛି । ବେଲପାଳ ଗାଁର ଜଣେ ବ୍ୟକ୍ତି ଫ୍ଲାଏ ଆସ ଫ୍ୟାକ୍ଟ୍ରିର ଋଣ ଶୁଝି ନପାରିବାରୁ ଏହାକୁ ବ୍ୟାଙ୍କ ନିଲାମ ଦେଇଥିଲା । ସେହି ଗାଁର ଜଣେ ବ୍ୟକ୍ତି ନିଲାମ ନେଇ ଫ୍ୟାକ୍ଟ୍ରି ଚଳାଉଥିଲେ ।

ତେବେ ଋଣ ଖିଲାପକାରୀ କୋର୍ଟଙ୍କ ଆଶ୍ରୟ ନେବା ପରେ ଏହି ମାମଲା ବିଚାରାଧୀନ ରହିଛି । ରାୟ ପ୍ରକାଶ ପାଇବା ଯାଏ ପୂର୍ବ ମାଲିକଙ୍କୁ ଦଖଲ ଆଦେଶ ସହ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ ପାଇଁ ନିର୍ଦେଶ ରହିଥିଲା । ତେବେ ବୁଧବାର ଫ୍ୟାକ୍ଟ୍ରି ଦଖଲକୁ ନେଇ ଦୁଇ ମାଲିକଙ୍କ ମଧ୍ୟରେ ମାରପିଟ ହୋଇଛି । ଏଥିରେ ଜଣେ ଗୁରୁତର ହୋଇ ବାରିପଦା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ଢେଲା ପଥର ମାରି ଆକ୍ରମଣ କରିଥିଲେ ଲୋକେ । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହେବା ସହ ପୋଲିସ ଗାଡ଼ି ମଧ୍ୟ ଭାଙ୍ଗିଛି ।