୩ କଲେଜ ପିଲାଙ୍କ ଉପରେ ଚଢିଗଲା ନେତାଙ୍କ କାରକେଡ୍ ଗାଡି । ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ ୨ ଜଣ । ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି ।

3,392

କନକ ବ୍ୟୁରୋ: ଲୋକଙ୍କ ଉପରେ ଚଢିଗଲା ପ୍ରାର୍ଥୀଙ୍କ ଗାଡି । ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ ୨ ଜଣ ବ୍ୟକ୍ତି । ଖାଲି ସେତିକି ନୁହେଁ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ମଧ୍ୟ ହେଇଛନ୍ତି । ଏହି ଘଟଣା ଘଟିଛି ଉତ୍ତରପ୍ରଦେଶ କୈସରଗଞ୍ଜ ଲୋକସଭା କ୍ଷେତ୍ରରେ । ଏହି ଆସନରୁ ନିର୍ବାଚନ ଲବଢୁଥିବା କରଣ ଭୂଷଣ ସିଂହଙ୍କ କାରକେଡ୍ ୩ ପିଲାଙ୍କ ଉପରେ ମାଡିଯାଇଥିଲା । ଯେଉଁଥିରେ କି ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।

କରଣ ଭୂଷଣ ସିଂହ ହେଉଛନ୍ତି, ଏହି ସିଟରୁ ସାଂସଦ ଥିବା ବ୍ରିଜଭୂଷଣ ସିଂହଙ୍କ ପୁଅ । ଗୋଣ୍ଡା ଜିଲ୍ଲାର ଏହି ଆସନରେ ପ୍ରଚାର କରୁଥିଲେ କରଣ ଭୂଷଣ । ଏଙି ସମୟରେ ତାଙ୍କ କାରକେଡ୍ ଗାଡି ୩ ଜଣ ଛୁଆଙ୍କ ଉପରେ ମାଡିଯାଇଥିଲା । ତେବେ ୨ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଏଭେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଫର୍ଚ୍ୟୁନର କାରକୁ ଜବତ କରାଯାଇଛି ।

କରଣ ଭୂଷଣ ସିଂହଙ୍କ କାରକେଡ୍ ବୈକୁଣ୍ଠ ଡିଗ୍ରୀ କଲେଜ୍ ଦେଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । କାରକେଡ୍ ଯିବା ସମୟରେ ଏହି କଲେଜର ତିନି ଜଣ ପିଲା ରାସ୍ତା ପାର୍ ହେଉଥିଲେ । ଆଉ କାରକେଡ ଭିତରେ ଥିବା ଏକ ଫର୍ଚ୍ୟୁନର କାର୍ ତାଙ୍କ ଉପରେ ମାଡିଯାଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଦୁର୍ଘଟଣା ଘଟିବା ପରେ କରଣ ଭୂଷଣ ସିଂହ ଏହି ସ୍ଥାନରେ ଅଟକିନଥିଲେ । ଏମିତି କି ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିନଥିଲେ । ବର୍ତ୍ତମାନ ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଗହଳି ଥିବାବେଳେ, ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ।