ଯଦି ପ୍ରକୃତରେ ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ, ତେବେ ଫୋନ୍ କରିପାରିଥାନ୍ତେ । ଏମିତି ଜନସଭାରେ… କାହିଁକି ଏମିତି କହିଲେ ନବୀନ ।

252

କନକ ବ୍ୟୁରୋ : ଏଏନଆଇକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମୋ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି । ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି । ବିଜେପିର କିଛି ନେତା ୧୦ ବର୍ଷ ହେବ ମୋ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ନବୀନ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସତରେ ଚିନ୍ତିତ ତାହେଲେ ମୋତେ ଫୋନ୍ କରିପାରିଥାନ୍ତେ ଏବଂ ସ୍ୱାସ୍ଥ୍ୟବସ୍ଥା ବାବଦରେ ବୁଝିପାରିଥାନ୍ତେ । କାରଣ ପ୍ରଧାନମନ୍ତ୍ରୀଙ୍କ ସହ ମୋର ଭଲ ସମ୍ପର୍କ । କିନ୍ତୁ ଏହା କରିବା ପରିବର୍ତ୍ତେ ଜନସଭାରେ ୩ଥର ମୋ ସ୍ୱାସ୍ଥ୍ୟ ଖରାପ ଥିବା କହିଲେ । ନିର୍ବାଚନରେ ଭୋଟ ପାଇବାକୁ ଏମିତି କରୁଛନ୍ତି ବୋଲି କହିଛନ୍ତି ନବୀନ ।

ଏହାସହ ନବୀନ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମାସେ ହେଲା ଖରାରେ ପ୍ରଚାର କରୁଛି । ରାଜ୍ୟବାସୀଙ୍କ ସେବା କରିବାକୁ ସମ୍ପୂର୍ଣ୍ଣ ଫିଟ୍ ଥିବା ସେ କହିଛନ୍ତି । ବିଜେପି ହତାଶ ହୋଇ ମିଥ୍ୟା ପ୍ରଚାର କରୁଛି । ଗତ ୧୦ ବର୍ଷ ହେବ ବିଜେପିର କିଛି ନେତା ଏମିତି ଅପପ୍ରଚାର କରୁଛନ୍ତି ।

ଏହାସହ ଭି.କେ ପାଣ୍ଡିଆନ ତାଙ୍କର ଉତରାଧିକାରୀ ନୁହଁନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଉତରାଧିକାରୀ କିଏ ହେବେ ତାହା ରାଜ୍ୟବାସୀ ନିଷ୍ପତି ନେବେ । କାହିଁକି ଏମିତି ଅପପ୍ରଚାର କରାଯାଉଛି ତାହା ବୁଝିପାରୁନି । କାରଣ ପାଣ୍ଡିଆନ ନିର୍ବାଚନ ମଧ୍ୟ ଲଢୁନାହାନ୍ତି ବୋଲି କହିଛନ୍ତି ନବୀନ । ମୁଁ ସରକାରରେ ସବୁ ନିଷ୍ପତ୍ତି ନିଏ । ବିରୋଧୀ ଏଭଳି ଅଭିଯୋଗ ପୂର୍ବରୁ ମଧ୍ୟ ଆଣିଛନ୍ତି । ମୁଁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରେ । ଏମିତି କୌଣସି କ୍ୟାବିନେଟ ବୈଠକ ହୋଇନାହିଁ ଯେଉଁ ବୈଠକରେ ମୁଁ ଅଧ୍ୟକ୍ଷତା କରିନାହିଁ ।

କେବଳ ଏତିକି ନୁହେଁ ବିଜେପିକୁ ଜବାବ ଦେଇ ନବୀନ କହିଛନ୍ତି, ୨୭ ବର୍ଷ ହେବ ମୁଁ ରାଜନୀତିରେ ରହିଛି । ୨୭ ବର୍ଷ ହେବ ମୁଁ ଦଳର ସଭାପତି ଭାବେ କାମ କରୁଛି । ଆଗକୁ ମଧ୍ୟ ଦଳ ଚଳାଇବି ବୋଲି କହିଛନ୍ତି ନବୀନ ।