ରୋଚକ ହେଉଛି ମହାରାଷ୍ଟ୍ର ମହାଲଢ଼େଇ । ଉଦ୍ଧବ ସରକାର ବିରୋଧରେ ବିଜେପି ଆଣିପାରେ ଅନାସ୍ଥା ପ୍ରସ୍ତାବ । ପଢନ୍ତୁ, ଆଜି କୋର୍ଟରୁମରେ କେମିତିି ଥିଲା ଯୁକ୍ତିତର୍କ…

291

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଜାରି ରହିଛି । ସୁପ୍ରିମକୋର୍ଟ ଆଜି ବିଦ୍ରୋହୀ  ବିଧାୟକ କରିଥିବା ଆବେଦନ ଉପରେ ଶୁଣାଣି କରି ବଡ ରାୟ ଦେଇଛନ୍ତି । ଉପ-ବାଚସ୍ପତିଙ୍କ ନୋଟିସ ଉପରେ ରୋକ୍ ଲଗାଇଛନ୍ତି  ସର୍ବୋଚ୍ଚ ନ୍ୟାୟାଳୟ ।  ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ଯାଏଁ ବିଧାୟକଙ୍କୁ ଅଯୋଗ୍ୟ ଘୋଣଷା କରାଯାଇପାରିବ ନାହିଁ । ଏହାସହ ବିଦ୍ରୋହୀ ବିଧାୟକ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ମଧ୍ୟରେ ଜାତୀୟ ଗଣମାଧ୍ୟମଗୁଡିକର ଖବର ଅନୁସାରେ, ରାଜ୍ୟପାଳ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ କହିପାରନ୍ତି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ବିଜେପି  ଫ୍ଲୋର ଟେଷ୍ଟ ପାଇଁ ଦାବି କରିପାରନ୍ତି ବୋଲି କୁହାଯାଉଛି ।

ମହାରାଷ୍ଟ୍ରରେ ରାଜନୈତିକ ଲଢ଼େଇ ଭିତରେ ସୁପ୍ରିମକୋର୍ଟ ସୁପ୍ରିମ ରାୟ ଶୁଣାଇଛନ୍ତି । ବିଦ୍ରୋହୀ ଶିବସେନା ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିବା ସହ ବଡ ରାୟ ଦେଇଛନ୍ତି ।

  • ବିଦ୍ରୋହୀ ବିଧାୟକଙ୍କୁ ଆଶ୍ୱସ୍ତିି
  • ଉପ-ବାଚସ୍ପତିଙ୍କ ନୋଟିସ ଉପରେ ଲାଗିଲା ରୋକ୍

ବିଦ୍ରୋହୀ ଶିବସେନା ବିଧାୟକଙ୍କୁ  କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ସେ ନେଇ ପକ୍ଷ ରଖିବାକୁ ଉପବାଚସ୍ପତି କରିଥିବା ନୋଟିସ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍ ସୁର୍ଯର୍୍ୟକାନ୍ତ  ଏବଂ ଜେ.ବି ପାରଡିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ , ଉପ-ବାଚସ୍ପତି ଦେଇଥିବା ସମୟ ଅବଧିକୁ ଆସନ୍ତା ଜୁଲାଇ ୧୧ ତାରିଖ ଅପରାହ୍ଣ ସାଢେ ୫ଟା ଯାଏ ଘୁଞ୍ଚାଇ ଦେଇଛନ୍ତି  ।  କେବଳ ଏତିକି ନୁହେଁ ବିଦ୍ରୋହୀ ବିଧାୟକ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବଦ୍ରୋହୀ ବିଧାୟକମାନଙ୍କୁ ୨୭ତାରିଖ ଅପରାହ୍ଣ ସାଢେ ୫ ଟା ମଧ୍ୟରେ ପକ୍ଷ ରଖିବାକୁ ଉପ ବାଚସ୍ପତି ସମୟ ଦେଇଥିଲେ । ସେମାନଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାନଯିବ ସେନେଇ ଉତ୍ତର ରଖିବାକୁ ନୋଟିସ୍ ଜାରି କରିଥିଲେ । ଉପ-ବାଚସ୍ପତିଙ୍କ ଏହି ନୋଟିସକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ ବିଦ୍ରୋହୀ ବିଧାୟକ ।

ସମୟ ଅପରାହ୍ନ ୧ଟା ୩୦

ସ୍ଥାନ- ସୁପ୍ରିମକୋର୍ଟ 

ମହାରାଷ୍ଟ୍ରର ମହାନାଟକ ଉପରେ କୋର୍ଟ ରୁମରେ ଆରମ୍ଭ ହୋଇଥିଲା ଲଢ଼େଇ ।  ଦୁଇ ଜଣିଆ ଖଣ୍ଡପୀଠ ଆଗରେ ଉଭୟ ପକ୍ଷର ବଡ ବଡ ଓକିଲ ଛିଡା ହୋଇଥିଲେ । ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଆଇନଜୀବୀ ହରିଶ ସାଲଭେ ଓ ଏନ କେ କୌଲ ପକ୍ଷ ରଖିଥିଲେ । ଆଉ ଶିବସେନା ପକ୍ଷରୁ କୋର୍ଟରେ ମାମଲା ପରିଚାଳନା କରିଥିଲେ ଅଭିଷେକ୍ ମନୁ ସିଂଘଭି, ଆଇନଜୀବୀ ଦେବଦତ କାମତ ଓ ଉପ-ବାଚସ୍ପତିଙ୍କ ପକ୍ଷରୁ ଆଇନଜୀବୀ ରବି ଶଙ୍କର ଜନ୍ଧ୍ୟାଲା  ।

ନଜର ପକାନ୍ତୁ କୋର୍ଟରୁମରେ କେମିତିି ଥିଲା ଯୁକ୍ତିତର୍କ.. 

ମହାରାଷ୍ଟ୍ର ସରକାରଙ୍କ ଓକିଲ – ହାଇକୋର୍ଟରେ ଆବେଦନ ନକରି ସୁପ୍ରିମକୋର୍ଟକୁ କାହିଁକି ସିଧାସଳଖ ଆସିଲେ ବିଦ୍ରୋହୀ ଗୋଷ୍ଠୀ ।

ବିଦ୍ରୋହୀ ପକ୍ଷ କହିଥିଲେ – ବିରୋଧୀ ଗୋଷ୍ଠୀର ଓକିଲ କହିଥିଲେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଓ ସୁରକ୍ଷା କାରଣରୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତିି

ସରକାର-ଜୀବନ ପ୍ରତି ବିପଦ ଥିବା ନେଇ ବିଦ୍ରୋହୀଙ୍କ ଅଭିଯୋଗରେ ସତ୍ୟତା ନାହିଁ

ବିଦ୍ରୋହୀଙ୍କ ଓକିଲ- ସଞ୍ଜୟ ରାଉତଙ୍କ ବୟାନ ଏକ ଉଦାହରଣ , ମୁମ୍ବାଇକୁ ଶବ ଫେରିବ ବୋଲି କହିଥିଲେ ସଞ୍ଜୟ ରାଉତ

ବିଦ୍ରୋହୀଙ୍କ ଓକିଲ- ଉପ-ବାଚସ୍ପତିଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ନିର୍ଣ୍ଣୟ ନହେବା ପର୍ଯ୍ୟନ୍ତ ଉପ-ବାଚସ୍ପତି କରିଥିବା ନୋଟିସ ଉପରେ ରୋକ ଲଗାଯାଉ

ଖଣ୍ଡପୀଠ– ବିଧାୟକଙ୍କୁ ଅଯୋଗ୍ୟ ନୋଟିସ କରିଥିବା ଉପ-ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା କି ?

ଉପ-ବାଚସ୍ପତିଙ୍କ ଓକିଲ– ହଁ ଅନାସ୍ଥା ପ୍ରସ୍ତାବ ଆସିଥିଲା, କିନ୍ତୁ ଏକ ଅଜଣା ମେଲ ସାଇଟରୁ ଆସିଥିଲା । ଯାହାକୁ ଖାରଜ କରିଦେଇଥିଲେ ଉପ-ବାଚସ୍ପତି

ଖଣ୍ଡପୀଠ– ଯାହା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲା, ସେ କେମିତି ଖାରଜ କଲେ? ସେ କଣ ବିଚାରପତି ପାଲଟିଗଲେ? ଏହା କେମିତି ହେବ?  ସମ୍ପୂର୍ଣ୍ଣ ଘଟଣାର ତଥ୍ୟ ଦିଅ ।

  ବିଧାୟକମାନଙ୍କ ଠିକ୍ ଢ଼ଙ୍ଗରେ ନୋଟିସ୍ କରାଯାଇଛି କି ନାହିଁ ଜଣାଅ ।

ସିନ୍ଦେଙ୍କ ଓକିଲ- ବିଦ୍ରୋହୀ ବିଧାୟକଙ୍କୁ ଧମକ ଦିଆଯାଉଛି, ସୁରକ୍ଷା ଯୋଗାଇ ଦିଆଯାଉ

ସରକାରୀ ଓକିଲ- କାହା ସୁରକ୍ଷା ହଟା ଯାଇନାହିଁ ।

ସିନ୍ଦେଙ୍କ ଓକିଲ- ଏହା ଏକ ଅତ୍ୟନ୍ତ ଗମ୍ଭୀର ମାମଲା

ଖଣ୍ଡପୀଠ- ରିପୋର୍ଟ ଉପସ୍ଥାପନ କରିବାକୁ କେନ୍ଦ୍ର, ମହାରାଷ୍ଟ୍ର ସରକାର ଓ ପୁଲିସକୁ ନୋଟିସ

କେବଳ ଏତିକି ନୁହେଁ ମହାରାଷ୍ଟ୍ର ସରକାରଙ୍କୁ ଆଶ୍ୱାସନା ଦେଇ ଖଣ୍ଡପୀଠ କହିଛନ୍ତି ଆମେ ସେଭଳି କୌଣସି ନିର୍ଦ୍ଦେଶ ଦେବୁ ନାହି, ଯେଉଁଥିପାଇଁ ଅନାବଶ୍ୟକ ଅଡୁଆ ସଷ୍ଟି ହେବ । ଯଦି କିଛି ବେଆଇନ ହେଉଛି ତୁମେ ସୁପ୍ରିମକୋର୍ଟ ଆସିପାରିବ  । ସୁପ୍ରିମକୋର୍ଟରେ ପହଁଚିଥିବା ମହାରାଷ୍ଟ୍ର ରାଜନୈତିକ ଲଢ଼େଇ ଭିତରେ ବିଦ୍ରୋହୀ ଗୋଷ୍ଠୀ ମହାବିକାଶ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା କଥା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଯାହାଫଳରେ ମହାରାଷ୍ଟ୍ରର ଉଦ୍ଧବ ସରକାର ଏବେ ସଂଖ୍ୟା ଲଘୁରେ ପରିଣତ ହୋଇଛି । ହେଲେ, ଫ୍ଲୋର ଟେଷ୍ଟ ହେଲେ କାହାର ଦମ କେତେ ତାହା ସ୍ପଷ୍ଟ ହେବ ।