ପୁଣି ଆକ୍ସନ ମୋଡରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ବିଳମ୍ବରେ ଯାଉଥିବା ଦୁଇ ଶିକ୍ଷୟିତ୍ରୀଙ୍କୁ ବାଟରେ କଲେ ତାଗିଦ

312

କନକ ବ୍ୟୁରୋ: ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଶିକ୍ଷୟିତ୍ରୀ ବିଳମ୍ବରେ ସ୍କୁଲ ଯାଉଥିବାରୁ ପିପିଲି ଟୋଲଗେଟ ନିକଟରେ ରାସ୍ତାରେ ଅଟକାଇ ସେମାନଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ । ସ୍କୁଲ ଖୋଲିବା ସମୟ ଦିନ ୧୦ଟା ଥିବାବେଳେ ଏତେ ବିଳମ୍ବ କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାପରେ ଟୋଲଗେଟରୁ ସିଧା ସ୍କୁଲରେ ପହଞ୍ଚିଥିଲେ ମନ୍ତ୍ରୀ ।
ସ୍କୁଲରେ ପହଞ୍ଚିବା ପରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବହେଳା ନୁହେଁ ବିଦ୍ୟାଳୟର କାଗଜ ପତ୍ରରେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ ମନ୍ତ୍ରୀ । ଏହାପରେ ୮ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ।

  • ସ୍ଥାନ- ପିପିଲି ଟୋଲ ଗେଟ, ପିପିଲି
  • ସମୟ- ସକାଳ ୧୦ ଟା ୨୦ ମିନିଟ୍

ଦୁଇଜଣ ଶିକ୍ଷୟିତ୍ରୀ ସ୍କୁଟିରେ ସ୍କୁଲ ଯାଉଛନ୍ତି । ହଠାତ ସ୍କୁଟି ଆଗରେ ଅଟକିଲା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଗାଡି । ମନ୍ତ୍ରୀ ଶିକ୍ଷୟିତ୍ରୀଙ୍କୁ ପଚାରଥିଲେ ସ୍କୁଲ ଖୋଲିବା ସମୟ ଦିନ ୧୦ଟା ଥିବାବେଳେ ଏତେ ବିଳମ୍ବ କାହିଁକି ହେଲା । ସାମ୍ନାରେ ମନ୍ତ୍ରୀଙ୍କୁ ଦେଖି ଥତମତ ହୋଇ ଯାଇଥିଲେ ଦୁଇ ଶିକ୍ଷୟିତ୍ରୀ । ସ୍କୁଲକୁ ବିଳମ୍ବରେ ଯାଉଥିବା ନେଇ କୌଣସି ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଏହାପରେ ଟୋଲଗେଟରୁ ସିଧା ସ୍କୁଲରେ ପହଂଚିଥିଲେ ମନ୍ତ୍ରୀ । ସେତେବେଳେ ସମୟ ଥିଲା ଦିନ ୧୦.୨୩ ମିନିଟ ଓ ସ୍କୁଲ ପରିସର ଦୃଶ୍ୟ ଏମିତି ଥିଲା । ସ୍କୁଲ ହତାରେ ଛାତ୍ରଛାତ୍ରୀ ଏଣେ ତେଣେ ବୁଲୁଥିଲେ, ଶିକ୍ଷକ ଶିକ୍ଷୟିତ୍ରୀ ଏକାଠି ବସି କଥା ହେଉଥିଲେ, ପ୍ରଧାନଶିକ୍ଷକ ଗାଡି ଧରି ସ୍କୁଲ ବାହାରକୁ ବାହାରୁଥିଲେ ।

ସ୍କୁଲରେ ପହଞ୍ଚିବା ପରେ କେବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବହେଳା ନୁହେଁ ବିଦ୍ୟାଳୟର କାଗଜ ପତ୍ରରେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ ମନ୍ତ୍ରୀ । ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀକୁ ଫୋନ କରି ବିଦ୍ୟାଳୟର ୮ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । ମନ୍ତ୍ରୀ ସମୀର ଦାଶ, ଏହି ସ୍କୁଲରେ ଅନୁଧ୍ୟାନ ସାରି ଚାଲିଯିବା ପରେ ସେଠି ଗୋଟିଏ କଥା ଚର୍ଚ୍ଚା ହେଉଥିଲା, ଯେଉଁ ସ୍କୁଲଗୁଡିକରେ ଭିତିଭୂମି ନାହିଁ, ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି, ସେହି ସ୍କୁଲଗୁଡିକୁ କେବେ ପରିଦର୍ଶନ କରିବେ ଓ ସମସ୍ୟାର ସମାଧାନ କେବେ କରିବେ ।