ରାଜ୍ୟ ସରକାରଙ୍କ ବିଚିତ୍ର ବିଦ୍ୟାଳୟ। ସ୍କୁଲର ଛାତକୁ ସାହା କାଠଖୁଣ୍ଟ,ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ କୋରାପୁଟ ପ୍ରଶାସନ ।

100

କନକ ବ୍ୟୁରୋ: କାଠ ଖୁଣ୍ଟର ଭରସାରେ ସ୍କୁଲର ଛାତ । ଆଉ ଏହା ତଳେ ପାଠ ପଢ଼ୁଛନ୍ତି ୯୪ ଜଣ ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକର ପୁରୁଡ଼ାବେଡ଼ା ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ଏହିଭଳି ଅବସ୍ଥାରେ ପାଠ ପଢୁଛନ୍ତି । ଫଟା ଛାତରୁ ଏବେ ଗଳୁଛି ବର୍ଷା ପାଣି । ପୁଣି ଛାତକୁ ଏକ କାଠ ଖୁଣ୍ଟ ଢିରା ଦିଆଯାଇଛି । ଏହାରି ଭିତରେ ବସି ପିଲାମାନେ ପାଠ ପଢୁଛନ୍ତି । ଯାହା ବିଲକୁଲ୍ ବିପଦମୁକ୍ତ ନୁହେଁ । ୨୦୧୨ ମସିହାରେ ଏହି ବିଦ୍ୟାଳୟ କୋଠା ନିର୍ମାଣ ହୋଇଥିଲା । ନିର୍ମାଣର ମାତ୍ର ୩ ବର୍ଷ ପରେ ଛାତ ନଇଁ ପଡିଥିଲା । ତେଣୁ ଗ୍ରାମବାସୀ ମିଳିମିଶି ଜଙ୍ଗଲରୁ ଏକ ଗଛ କାଟି ଆଣି ସ୍କୁଲ ଛାତକୁ ଢିରା ଦେଇଥିଲେ । ବାସ୍ ସେବେଠାରୁ ସେମିତି ଚାଲିଛି ସ୍କୁଲ । ସ୍କୁଲ ଛାତକୁ ଭରସା ନଥିବା ବେଳେ ବର୍ଷା ହେଲେ ପାଣି ଗଳୁଛି । କେତେବେଳେ କଣ ହେବ, ତାହା କହିବା ମୁସ୍କିଲ୍ ।

ବିପଦ ସୃଙ୍କୁଳ ଅବସ୍ଥାରେ ଥିବା ସ୍କୁଲର ମରାମତି ପାଇଁ ଅଭିଭାବକମାନେ ବାରମ୍ବାର ଅଭିଯୋଗ କଲେ ବି ଶିକ୍ଷା ବିଭାଗ କି ଜିଲ୍ଲା ପ୍ରଶାସନ ଶୁଣୁନାହିଁ । ତେଣୁ ତାତି ଉଠିଛନ୍ତି ଗ୍ରାମବାସୀ । କୌଣସି ଉପାୟ ନପାଇ ସ୍କୁଲରେ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ । ବିଦ୍ୟାଳୟରେ ତାଲା ପଡିଥିବା ଖବର ପାଇ ପହଞ୍ଚିଥିଲେ ଜୟପୁର ଉପଜିଲ୍ଳାପାଳ । ହେଲେ ସେ ବି ଜାଣି ନାହାନ୍ତି ସ୍କୁଲର ଅବସ୍ଥା ବାବଦରେ । ଆଉ ଏ ହେଉଛି ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଭିତରେ ରହିଥିବା ଆଦିବାସୀ ଅଞ୍ଚଳର ବିଦ୍ୟାଳୟ । ବିଦ୍ୟାଳୟ ଗୁଡିକ ଏଭଳି ଅବସ୍ଥାରେ ଥିବା ବେଳେ ସରକାରୀ ସ୍କୁଲରୁ ପିଲାଙ୍କ ଭବିଷ୍ୟତ ଖୋଜୁଛି ଶିକ୍ଷା ବିଭାଗ ।