କିଡନୀ ପ୍ରତିରୋପଣରେ ବିଫଳ ହେଲା ବଡ ମେଡିକାଲ: ଡାକ୍ତର କହିଲେ ମ୍ୟାଚ୍ ନକରିବାରୁ ଫେରାଇ ଦିଆଗଲା କିଡନୀ

147

କନକ ବ୍ୟୁରୋ: କଟକର ଏସସିବି ମେଡିକାଲ କଲେଜ । ଏମ୍ସ-ପ୍ଲସ ହସ୍ପିଟାଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ କିଡନୀ ପ୍ରତିରୋପଣ କରିବାରେ ଅସଫଳ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ରାଜ୍ୟର ସବୁଠାରୁ ବଡ ମେଡିକାଲ କଲେଜ ଏସସିବିର ଅବହେଳା ଓ ଦାୟିତ୍ୱହୀନତା ପଦାକୁ ଆସିଛି । ଭୁବନେଶ୍ୱର କିମ୍ସ ହସପିଟାଲରେ ସାଢେ ୫ ବର୍ଷ ବୟସର ଏକ ଶିଶୁ ବ୍ରେନଡେଡ୍ ଘୋଷିତ ହେବା ପରେ ଶିଶୁର କିଡନୀ ଦାନ କରିଥିଲେ ବାପା-ମାଆ । କିନ୍ତୁ ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ଏସସିବି ମେଡିକାଲରେ ରୋଗୀଙ୍କ ଶରୀରରେ କିଡନୀ ପ୍ରତିରୋପଣ କରାଯାଇପାରିଲା ନାହିଁ ।

କିଡନୀ ବାହାର କରିବା ଏବଂ ଜଣଙ୍କ ଦେହରେ ପ୍ରତିରୋପଣ କରିବା, ଯଦି ଠିକ୍ ସମୟରେ ନହୁଏ, ତେବେ ଏହା ଫଳପ୍ରଦ ହେବାର ସମ୍ଭାବନା ହ୍ରାସ ପାଇଥାଏ । ସମୟକୁ ବଂଚାଇବା ପାଇଁ ଗ୍ରୀନ୍ କରିଡର ଭଳି ବ୍ୟବସ୍ଥା କରାଯାଇଥାଏ । କିନ୍ତୁ କିଡନୀ ଆଣି କିଛି ସମୟ ରଖିବା ପରେ ଫେରାଇ ଦିଆଗଲା, ଯାହା ଏସସିବିର ଭିତିଭୂମି ଉପରେ ବଡ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି ।

କିନ୍ତୁ ଭୁବନେଶ୍ୱରରୁ କିଡନୀ ଗଲା କଟକ, ପୁଣି କଟକରୁ ଫେରିଲା ଭୁବନେଶ୍ୱର । ଆଉ ଏହି ପ୍ରକ୍ରିିୟାରେ ଘଂଟା ଘଂଟା ସମୟ ଅଯଥାରେ ନଷ୍ଟ ହୋଇଥିଲା । କିନ୍ତୁ ଏସସିବିର ନେଫ୍ରୋଲୋଜି ବିଭାଗ ମୁ୍ଖ୍ୟଙ୍କ କହିବା କଥା, ରୋଗୀଙ୍କ ସହ ମେଳ ନଖାଇବାରୁ କିଡନୀକୁ ଫେରାଇ ଦିଆଯାଇଥିଲା ।

ସବୁଠୁ ବଡ଼ କଥା ହେଉଛି, କଟକ ବଡ ମେଡିକାଲରେ ଗୋଟିଏ ବି କିଡନୀ ପ୍ରତିରୋପଣ ହୋଇପାରିଲା ନାହିଁ । କିନ୍ତୁ ବେସରକାରୀ ହସ୍ପିଟାଲ ଆପୋଲୋରେ ଦୁଇଟି ଯାକ କିଡନୀ ଟ୍ରାନ୍ସପ୍ଲାଂଟ ହୋଇ ପାରିଥିଲା ।

ଏପଟେ କଟକ ଏସସିବି ମେଡିକାଲରେ ଅବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି କିଡନୀ ପ୍ରତିରୋପଣ କରିଥିବା ବ୍ୟକ୍ତି । କିଡନୀ ପ୍ରତିରୋପଣ ରୋଗୀଙ୍କ ପ୍ରତି ବୌମାତୃକ ମନୋଭାବ ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ଏସସିବିରେ ନାହାନ୍ତି ଭଲ ଡାକ୍ତର ନାହାନ୍ତି । ଉନ୍ନତ ମାନର ଔଷଧ ଦିଆଯାଉନାହିଁ । ଭଲ ଚିକିତ୍ସା ମିଳୁ ନଥିବାରୁ ଘରୋଇ ମେଡିକାଲକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ସେମାନେ କହିଛନ୍ତି ।

କଟକ ମେଡିକାଲରେ ଅବ୍ୟବସ୍ଥା ଭବିଷ୍ୟତରେ ହେବାକୁ ଥିବା ଅନ୍ୟାନ୍ୟ ଅଙ୍ଗ ପ୍ରତିରୋପଣର ସଫଳତାକୁ ନେଇ ସନ୍ଦେହ ସୃଷ୍ଟି କରିଛି । କୌଣସି ପୂର୍ବ ପ୍ରସ୍ତୁତି ବା ଯୋଜନା କରାନଯିବାରୁ ଏବଂ ସମନ୍ୱୟ ଅଭାବରୁ ଏଭଳି ପ୍ରତିରୋପଣ ଫେଲ ମାରିଲା ବୋଲି କୁହାଯାଉଛି ।