କୁଆଡ଼େ ଗଲା ସାତକୋଶିଆର ୧୫ ବର୍ଷିୟ ବାଘୁଣୀ? ଗତ ନଭେମ୍ବର ମାସରୁ କ୍ୟାମେରାରେ ଟ୍ରାପ ହୋଇପାରୁନି ବାଘୁଣୀର ଚିତ୍ର।

101

କନକ ବ୍ୟୁରୋ: ସାତକୋଶିଆର ଲୋପ ପାଇଗଲା କି ବାଘ ବଂଶ । ୯ ମାସ ହେଲା ଏକ ବାଘୁଣୀର ଖୋଜଖବର ନାହିଁ । ଗତ ନଭେମ୍ବର ମାସରୁ ୧୫ ବର୍ଷିୟ ବାଘୁଣୀର ପତା ପାଉନାହିଁ ବନବିଭାଗ । କ୍ୟାମେରାରେ ମଧ୍ୟ ବାଘୁଣୀର ଟ୍ରାପ୍ ହୋଇପାରୁନାହିଁ । ବାଘୁଣୀ ନିଖୋଜ ଖବର ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ୨୦୧୦ ମସିହାରେ ବାଘୁଣୀକୁ ସାତକୋଶିଆର ଘଞ୍ଚ ଜଙ୍ଗଲରେ ଠାବ କରାଯାଇଥିଲା । ସେତେବେଳେ ତାକୁ ୩ ବର୍ଷ ବୟସ ହୋଇଥିଲା । ଏବେ ସେହି ବାଘୁଣୀ ସାତକୋଶିଆରେ ଜୀବିତ ନା ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି । କାରଣ ଗତ ବର୍ଷ ନଭେମ୍ବର ମାସରେ ଶେଷ ଥର ପାଇଁ ବାଘୁଣୀ କ୍ୟାମେରା ସମ୍ମୁଖକୁ ଆସିଥିଲା ।

ତା ପର ଠାରୁ ଆଉ ତାକୁ ଦେଖିବାକୁ ମିଳୁନାହିଁ । ୮ଶହ ବର୍ଗ କିଲୋମିଟର ଜଙ୍ଗଲକୁ ମିଶାଇ ୨୦୦୭ ମସିହାରେ ସାତକୋଶିଆକୁ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ଦେଇଥିଲେ କେନ୍ଦ୍ର ସରକାର । ତେବେ ସାତକୋସିଆରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ୨୦୧୮ ମସିହାରେ ମଧ୍ୟପ୍ରଦେଶ କାହ୍ନାରୁ ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ଠିକ୍ ଏହାର ୨ ମାସ ପରେ ଶିକାରୀ ଫାସରେ ପଡି ମହାବୀରର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରୀକୁ ୨୦୨୧ ଯାଏଁ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯାଇଥିଲା । ପରିଶେଷ ପୁଣି କାହ୍ନକୁ ଫେରିଯାଇଥିଲା ସୁନ୍ଦରୀ ।