ସକାଳୁ ସକାଳୁ ପ୍ରବଳ ତାତି । ସାଢ଼େ ୮ଟା ସୁଦ୍ଧା ୭ଟି ସହରରେ ତାପମାତ୍ରା ଡେଇଁଲା ୩୦ ଡିଗ୍ରୀ । କେନ୍ଦୁଝରରେ ସର୍ବାଧିକ ତାପମାତ୍ରା।

168

କନକ ବ୍ୟୁରୋ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ଓଡିଶା । ଉପକୂଳରୁ ଉପାନ୍ତ, ସକାଳୁ ଜଳିଲାଣି । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ସ୍ୱାଭାବିକ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ସକାଳ ସାଢେ ୮ଟା ସୁଦ୍ଧା ୭ଟି ସହରରେ ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି । କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୩୧.୬ ଡିଗ୍ରୀ, ୩୧.୨ ଡିଗ୍ରୀ ଉପରେ ପାରଦ ରହିଥିବା ବେଳେ ବାଲେଶ୍ୱର, ଝାରସୁଗୁଡା, ସମ୍ବଲପୁର, ପୁରୀରେ ୩୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ସେହିଭଳି ରାଉରକେଲା ଓ ପାରାଦୀପରେ ୩୦ ଡିଗ୍ରୀ ଛୁଇଁଛି ତାତି । ହୀରାକୁଦ ଓ ଗୋପାଳପୁରରେ ୨୯ ଡିଗ୍ରୀ ଯାଏଁ ପାଦର ଚଢିଛି । ଗତକାଲି ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆହୁରି ଦୁଇଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।