ଖୁଆପେଡ଼ା ପ୍ରସ୍ତୁତ କରି ପରିବାର ପୋଷୁଛନ୍ତି ମିଠା କାରିଗର: ପ୍ରତି ଦିନ ବଜାରକୁ ପଠାଉଛନ୍ତି ୨ହଜାରରୁ ଅଧିକ ପେଡ଼ା

126

କନକ ବ୍ୟୁରୋ: ମିଠା ଭିତରେ ଖୁଆ ପେଡ଼ାର ସ୍ୱାଦିଷ୍ଟ ଖୁବ୍ ନିଆରା । ଦୀର୍ଘ ଦିନରୁ ଏହି ଖୁଆ ପେଡ଼ାର ଚାହିଦା ରହିଥିବା ବେଳେ ଏହାକୁ ପ୍ରସ୍ତୁତ କରି ଲୋକେ ରୋଜଗାରକ୍ଷମ ହୋଇପାରୁଛନ୍ତି । ନିଜର ପରିବାର ମଧ୍ୟ ପ୍ରତିପୋଷଣ କରିପାରୁଛନ୍ତି । କଟକ ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୋବରା ଓ ଛଗାଁରେ କାରିଗର ମାନେ ଖୁଆପେଡ଼ା ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରୟ କରୁଛନ୍ତି । ଆଉ ରୋଜଗାରକ୍ଷମ ହୋଇପାରୁଛନ୍ତି ।

ମିଠା ଭିତରେ ଖୁଆପେଡ଼ାର ସ୍ୱାଦ ସବୁଠୁ ଅଲଗା । ଯିଏ ଖାଇଛି ସିଏ ଏହାର ମଜା ଉଠାଇଛି । ବଜାରରେ ମିଳୁଥିବା ଖୁଆପେଡ଼ା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଥରେ ଖାଇଲେ ଆଉଥରେ ଖାଇବାକୁ ମନ ନିଶ୍ଚୟ ହୋଇଥାଏ । ତେବେ ଖୁଆପେଡ଼ା ପ୍ରସ୍ତୁତ କରି ରୋଜଗାରକ୍ଷମ ହେବା ସହ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ଆଠଗଡ଼ ଅଂଚଳର କିଛି କୁଶଳି କାରିଗର । ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୋବରା ଓ ଛଗାଁରେ ତିଆରି ହେଉଛି ଖୁଆପେଡ଼ା । ଗୋବରା ଗାଁର ହେମନ୍ତ ବେହେରା ଓ ଛଗାଁର ପ୍ରମୋଦ ବାରିକଙ୍କ ପରିବାର ବଂଶାନୁକ୍ରମେ ଏହି ପେଡ଼ା ପ୍ରସ୍ତୁତ କରୁଛନ୍ତି । ଖୁଆ, ଚିନି, ଅମୁଲ, କ୍ଷୀର, ଗୁଜୁରାତି ଓ କାଜୁ ମିଶାଇ ଏହାକୁ ପ୍ରସ୍ତୁତ କରିଥାଆନ୍ତି କାରିଗର ।

ପ୍ରତେକ ଦିନ ପ୍ରାୟ ୨ହଜାରରୁ ଅଧିକ ପେଡ଼ା ପ୍ରସ୍ତୁତ କରି ବଜାରକୁ ପଠାଇଥାଆନ୍ତି ଏହି କାରିଗର ପରିବାର । ଆଠଗଡ଼, ଖୁଂଟୁଣୀ, କଟକ, ଯାଜପୁର, ଭୁବନେଶ୍ୱର ବଜାରରେ ଏହାର ଚାହିଦା ଅଧିକ ରହିଛି । ମାସକୁ ପ୍ରାୟ ୧ ଲକ୍ଷ ଟଙ୍କାର କାରବାର ହେଲେ ୨୦ ହଜାର ଟଙ୍କାର ଲାଭ ପାଉଥିବା କହିଛନ୍ତି ପେଡ଼ା ପ୍ରସ୍ତୁତ କରୁଥିବା କାରିଗର । ପିଢି ପରେ ପିଢି ଏହି ବୃତିକୁ ଆପଣେଇ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ଆଠଗଡ଼ ଅଂଚଳର ପ୍ରମୋଦ ବାରିକଙ୍କ ପରିବାର । ଏହି ପେଡ଼ା ପ୍ରସ୍ତୁତରେ ଜଣେ ନୁହେଁ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ସାହାଯ୍ୟ କରିଥାଆନ୍ତି । ଆଉ ଏଥିରେ ଯାହା ଉପାର୍ଜନ ହୁଏ ବେଶ ଖୁସିରେ ପରିବାର ପ୍ରତିପୋଷଣ ହୋଇଥାଏ ।