ମହିଳାଙ୍କୁ ଆତ୍ମନିର୍ଭର କରିଛି ମିଶନ ଶକ୍ତି: ମାର୍ଶାଘାଇ ବ୍ଲକ ପରିସରରେ ମହିଳାମାନେ ଖୋଲିଛନ୍ତି କାଫେ

99

କନକ ବ୍ୟୁରୋ: ମହିଳା ସ୍ୱୟଂ ସହାୟିକ ଗୋଷ୍ଠିକୁ ଆତ୍ମନିର୍ଭର ହେବାର ନୂଆ ବାଟ ଦେଖାଇଛି ମିଶନ ଶକ୍ତି କାଫେ । ଲୋକଙ୍କୁ ସୁଲଭ ମୁଲ୍ୟରେ ଖାଇବା ଯୋଗାଇଦେବା ସହ ସ୍ଥାନୀୟ ମହିଳାଙ୍କୁ ରୋଜଗାରକ୍ଷମ କରାଇବା ଏହି କାଫେର ମୂଳ ଲକ୍ଷ୍ୟ ରହିଛି । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଖୋଲିବା ପରେ ଉଭୟ ନିରାମିଷ ଏବଂ ଆମିଷ ସାଙ୍ଗକୁ ଦେଶି ଖାଦ୍ୟର ଭରପୁର ମଜା ଉଠାଉଛନ୍ତି ଗ୍ରାହକ ।

କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ କାର୍ଯ୍ୟାଳୟ ପରିସରରେ ଖୋଲିଛି ମିଶନ ଶକ୍ତି କାଫେ । ପ୍ରାୟ ୨୪ଟି ପଂଚାୟତର ସ୍ୱୟଂ ସହାୟିକ ଗୋଷ୍ଠି ଏବଂ ବ୍ଲକ ସ୍ତରିୟ ଫେଡେରେସନ୍ ମହିଳା ମାନେ ଏକତ୍ର ହୋଇ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି । ଏହି କାଫେରେ ଆମିଷ ଏବଂ ନିରାମିଷ ଖାଦ୍ୟ ସାଙ୍ଗକୁ ଚା, ସ୍ନାକ୍ସ, ବିସ୍କୁଟ୍, ବରା, ସିଙ୍ଗଡା ସହିତ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ବ୍ଲକକୁ ବିଭିନ୍ନ କାର୍ଯ୍ୟରେ ଦୁର ଦୁରାନ୍ତରରୁ ଆସୁଥିବା ସାଧାରଣ ଲୋକ ଏବଂ କର୍ମଚାରୀ ମାନେ ଏହି ଖାଦ୍ୟର ଭରପୁର ମଜା ଉଠାଉଛନ୍ତି ।

ମିଶନ ଶକ୍ତି କାଫେ ଚଳାଇ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନେ ଆତ୍ମନିର୍ଭର ହେବା ସହ ରୋଜଗାରକ୍ଷମ ହୋଇପାରିବେ । ଏହା ସହ ଲୋକଙ୍କୁ ଦେଶି ଓ ହାତ ତିଆରି ଖାଦ୍ୟ ମିଳିପାରିବ । ଯାହା ସ୍ଥାନୀୟ ଅଂଚଳରେ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ଯୋଗାଇବ । ଏହି ଉଦ୍ଦେଶ୍ୟରେ ଏଭଳି ଏକ ପ୍ରୟାସ ଆରମ୍ଭ କରିଛନ୍ତି ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ।

ମିଶନ ଶକ୍ତି କାଫେର ଶୁଭ ଉଦଘାଟନ ଉତ୍ସବରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ଜିଲ୍ଲାପାଳ ଅମ୍ରିତ ରୁତୁରାଜ ଏବଂ ଉପ ଜିଲ୍ଲାପାଳ ନିରଂଜନ ବେହେରା ପ୍ରମୁଖ ଯୋଗ ଦେଇ ମହିଳାଙ୍କ ଏଭଳି କାମକୁ ପ୍ରଶଂସା କରିଥିଲେ ।