ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ଝିଅ: ୱେଲ୍ଡିଙ୍ଗ ଦୋକାନ କରି ପରିବାର ପୋଷୁଛନ୍ତି ମାଲକାନଗିରିର ମହିଳା ଉଦ୍ୟୋଗୀ ‘ରାଣୀ’ ବିଶ୍ୱାସ

120

କନକ ବ୍ୟୁରୋ: କୁଶଳି କନ୍ୟା ।ୱେଲ୍ଡିଙ୍ଗ ଦୋକାନ କରି ପରିବାର ପୋଷୁଛନ୍ତି ଉପାନ୍ତ ଅଂଚଳର ଆଗୁଆ ଝିଅ । ଆଇଟିଆଇରେ ଫିଟର ତାଲିମ ନେବା ପରେ ବାପାଙ୍କ ଠାରୁ କିଛି ଆର୍ଥୀକ ସହାୟତା ନେଇ ଦୋକାନ କରିଛନ୍ତି ଯୁବତୀ । ଆରମ୍ଭ କରି ଦେଇଛନ୍ତି ନିଜର ଛୋଟ ଏକ ଉଦ୍ୟୋଗ । ଆଉ ଏହି ଯୁବ ମହିଳା ଉଦ୍ୟୋଗୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚା ।

ଏହି ମହିଳା ଯୁବ ଉଦ୍ୟୋଗୀ ଜଣଙ୍କ ହେଉଛନ୍ତି, ୨୦ ବର୍ଷିୟ ରାଣୀ ବିଶ୍ୱାସ । ଘରେ ଗୋଟିଏ ୱେଲ୍ଡିଂ ଦୋକାନଟେ ଖୋଲିଛନ୍ତି ରାଣୀ । ସକାଳୁ ସକାଳୁ ନିଜର ସବୁ ନିତ୍ୟକ୍ରମ ସାରି, ଦୋକାନରେ ଆରମ୍ଭ ହୋଇଯାଏ କାମ । ନିଜେ ଲୁହା ପିଟି, ତାକୁ ୱଲ୍ଡିଂ କରି ସୁନ୍ଦର ଗ୍ରିଲ, ରୋଲିଂ ଶଟର ଓ ଲୁହା କବାଟ, ଝରକା ତିଆରି କରନ୍ତି । ମାସକୁ ପ୍ରାୟ ୧୫ରୁ ୩୦ ହଜାର ଟଙ୍କା ରୋଜଗାର କରି ଘର ଚଳାନ୍ତି ରାଣୀ । ଏତେ କମ୍ ବୟସରୁ ବଡ ଦାୟିତ୍ୱ ତୁଲାଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ମହିଳା ଯୁବ ଉଦ୍ୟେଗୀ ।

ରାଣୀଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ, ଆଇଟିଆଇ ଫିଟର । ୨୦୧୭ରେ ମାଲାକନଗିରି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଫିଟର ଟ୍ରେଡରେ ପାଠ ପଢିବା ସହ ତାଲିମ ନେଇ ୨୦୧୯ରେ ପାସ୍ କରିଛନ୍ତି । ଏହାପରେ ଚାକିରି ପାଇଁ ଅପେକ୍ଷା ନକରି, ବାପାଙ୍କ ଠାରୁ କିଛି ଆର୍ଥିକ ସହାୟତା ନେଇ ୱଲଡିଂ ଦୋକାନ କରିଛନ୍ତି ରାଣୀ । ରାଜ୍ୟରେ ପିଲାଙ୍କୁ ବିଭିନ୍ନ ପ୍ରକାର କୁଶଳି ତାଲିମ ଦେଇ ସେମାନଙ୍କୁ ଆତ୍ମନିର୍ଭରଶିଳ କରିବା ଲାଗି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନାନା ଯୋଜନା ରହିଛି । ତେବେ ଉପାନ୍ତ ଇଲାକାର ଏହି ମହିଳା ଉଦ୍ୟୋଗୀ ଏବେ ସାରା ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଥିଲେ ହେଁ, ଏଯାଏଁ କିନ୍ତୁ ତାଙ୍କୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରିନାହିଁ ।