ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ: ତଦନ୍ତ କରିବାକୁ ଗଲେ କ୍ରାଇମବ୍ରାଂଚ-ସିଆଇଡିର ଟିମ୍

242

କନକ ବ୍ୟୁରୋ: କଂଟାବାଞ୍ଜି ସବଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ନେଇ ଖବର ଆସିବା ପରେ ତତ୍କ୍ଷଣାତ ତଦନ୍ତ ନିର୍ଦ୍ଦେଶ ଦିଆଗଲା । ସମ୍ବଲପୁର ରେଞ୍ଜ ଜେଲ ଡିଆଇଜି ଅନସୂୟା ଜେନାଙ୍କୁ ତଦନ୍ତ ଭାର ଦିଆଯାଇଥିବା କୁହାଗଲା । ଏପରିକି ଏନଏଚଆରସି ଗାଇଡଲାଇନ ଅନୁସାରେ ସବୁ ଦିଗରୁ ତଦନ୍ତ କରାଯିବ ବୋଲି ସୂଚନା ଦେଲେ ଜେଲ ବିଭାଗ ଏଡିଜି । ରିପୋର୍ଟ ଆସିବା ପରେ ସୁରକ୍ଷାରେ ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା ।

ହେଲେ ଏହାର କିଛି ସମୟ ପରେ ସିଆଇଡି କ୍ରାଇମବ୍ରାଂଚକୁ ତଦନ୍ତ ଭାର ଦିଆଯାଇଥିବା ଟ୍ୱିଟ୍ କରି ସୂଚନା ଦେଲା ପୋଲିସ । ସିନ୍ଧକେଲା ପୋଲିସ ଷ୍ଟେସନରେ ହୋଇଥିବା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ସିଆଇଡି-କ୍ରାଇମବ୍ରାଂଚ ତଦନ୍ତ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିବା ଏହି ଟ୍ୱିଟରେ ଉଲ୍ଲେଖ କରାଯାଇଥିଲା ।

– ଡିଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ମାମଲାର ତଦନ୍ତ କରିବେ
– ସିଆଇଡି-କ୍ରାଇମବ୍ରାଂଚର ଅନ୍ୟ ୩ ଅଫିସର ମଧ୍ୟ ତାଙ୍କ ସହ କଂଟାବାଞ୍ଜି ଯାଇଛନ୍ତି
– ଏମାନଙ୍କ ଛଡା ୧୦ ଜଣିଆ ଟିମରେ ଫୋରେନସିକ ଓ ସାଇବର ଏକ୍ସପର୍ଟ ଅଛନ୍ତି
– ରାଜ୍ୟ ପୋଲିସ ଫଟୋ ବ୍ୟୁରୋର ଅଧିକାରୀ ମଧ୍ୟ ଏହି ଟିମରେ ସାମିଲ ହୋଇଛନ୍ତି

ଜେଲ ହାଜତ ଭିତରେ କଡା ସୁରକ୍ଷା ମଧ୍ୟରେ କେମିତି ଝୁଲିପଡିଲେ ଜଣେ ବିଚାରାଧୀନ କଏଦୀ । ମମିତା ମେହେର ହତ୍ୟାକାଣ୍ଡ ଭଳି ଅତି ସମ୍ବେଦନଶୀଳ ମାମଲାର ମୁଖ୍ୟ ଅଭିଯୁକ୍ତ ହୋଇଥିବାରୁ ଏହାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଛି । ତେଣୁ ମାମଲାର ଗୁରୁତ୍ୱକୁ ଦେଖି ଜୋରଦାର ହୋଇଛି ଅନୁସନ୍ଧାନ । ଅନୁମାନ କରାଯାଉଛି ତଦନ୍ତ ପରେ ଉଠୁଥିବା ପ୍ରଶ୍ନ ଉପରୁ ପରଦା ଉଠିବ ।

– କୋର୍ଟକୁ ଯିବା ପୂର୍ବରୁ କାହିଁକି ଝୁଲି ପଡିଲେ ଗୋବିନ୍ଦ ସାହୁ?
– ସେଲ ପଛପଟେ ଥିବା କଦମ୍ବ ଗଛ ପର୍ଯ୍ୟନ୍ତ ଗଲେ କେମିତି?
– ଗାମୁଛାରେ ଝୁଲି ପଡିବା ବେଳେ କେହି ଦେଖିପାରିଲେନି କେମିତି?
– ଗୋବିନ୍ଦ ଆତ୍ମହତ୍ୟା କଲାବେଳେ ସୁରକ୍ଷାକର୍ମୀ କେଉଁଠି ଥିଲେ?
– ଗୋବିନ୍ଦଙ୍କ ଆତ୍ମହତ୍ୟା ପାଇଁ ଜେଲ କର୍ମଚାରୀ କାହିଁକି ଦାୟୀ ହେବେନାହିଁ?