ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ତେଜିଲା ରାଜନୀତି: ବିଜେପିର ଅଭିଯୋଗ, ଗୋବିନ୍ଦଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି

97

କନକ ବ୍ୟୁରୋ: ସନ୍ଦେହ-ଷଡ଼ଯନ୍ତ୍ର ଓ ସସ୍୍ପେନ୍ସ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଖବର, ରାଜନୀତିରେ କେବଳ ନିଆଁ ଲଗାଇ ଦେଇଛି ତାହା ନୁହେଁ, ବରଂ ବହୁ ଚର୍ଚ୍ଚିତ ଅପରାଧଗୁଡ଼ିକର ପୁରୁଣା ପୃଷ୍ଠାକୁ ଲେଉଟାବାକୁ ଉଦ୍ୟମ କରିଛନ୍ତି ବିରୋଧୀ । ଆଉ ଯେତେବେଳେ ପୁରୁଣା ପେଡ଼ି ଖୋଲୁଛି, ସାମ୍ନାକୁ ପୁଣି ଥରେ ଆସିଯାଉଛନ୍ତି ସେଇ ସବୁ ଚେହେରା ଓ ଚରିତ୍ର ଯାହାଙ୍କ ନାଁରେ ସାଂଘାତିକ୍ ଅଭିଯୋଗ ହୋଇଥିଲା ।

– ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାଶ
– ମହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା
– ଇତିଶ୍ରୀ ମୃତ୍ୟୁ ଘଟଣାରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ
– ମମିତା ମେହେର ହତ୍ୟା ଘଟଣାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ଆତ୍ମହତ୍ୟା ଭିତରେ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା, ମାହାଙ୍ଗା ମର୍ଡର ଘଟଣାରେ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ଦୁର୍ଘଟଣା, ଇତିଶ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଆସାମୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁରେ ସମାନତା ଖୋଜିବାକୁ ଉଦ୍ୟମ କରିଛନ୍ତି ବିରୋଧୀ ।

ଏପଟେ ଜେଲ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶ୍ନର ଲମ୍ବା ଧାଡ଼ି ଛିଡ଼ା କରିଦେଇଛି ବିଜେପି । ଗୋବିନ୍ଦଙ୍କ କେମିତି ମୃତ୍ୟୁ ହେଲା ? ମୃତ୍ୟୁ ପାଇଁ କାହାକୁ ଦାୟୀ କରାଯିବ ? ବୋଲି ପ୍ରଶ୍ନ କରିବା ସହ ସିଧାସଳଖ ବିଜେଡିକୁ ଟାର୍ଗେଟ୍ କରିଛି । ଅନୁରୁପ ଭାବରେ ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ଏସବୁ ଭିତରେ ବିରୋଧୀଙ୍କୁ କାଉଂଟର କରିଛି ବିଜେଡି ।

ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତିର ଏହି ବୟାନବାଜୀ ହୁଏତ ଆଶା କରାଯାଉଥିଲା । କାରଣ, ମମିତା ମେହେର ହତ୍ୟା ଘଟଣାରେ ବିଧାନସଭା ହୁଲୁସ୍ତୁଲ ହୋଇଥିଲା, ଗୋଟିଏ ଗୋଟିଏ ଅଧିବେଶନ ଧୋଇ ହୋଇଯାଇଥିଲା, ଗୋଟିଏ ପରେ ଗୋଟିଏ ଜିଲ୍ଳାରେ ବନ୍ଦ ପାଳନ ହେଉଥିଲା, ମନ୍ତ୍ରୀଙ୍କ ବାସଭବନରେ ବିକ୍ଷୋଭ, କଳାପତକା ପ୍ରଦର୍ଶନ ଓ ଅଣ୍ଡାମାଡ଼ ହେଉଥିଲା ।