ସତ ସ୍ୱୀକାର କଲେ ଶର୍ମିଷ୍ଠା । ପଢନ୍ତୁ, କ୍ରାଇମବ୍ରାଞ୍ଚକୁ କଣ କହିଲେ…

301

କନକ ବ୍ୟୁରୋ: ସତ ସ୍ୱୀକାର କଲେ ଶର୍ମିଷ୍ଠା । କ୍ରାଇମବ୍ରାଞ୍ଚର ଜେରାରେ ହତ୍ୟାକାଣ୍ଡର କାହାଣୀ କହିଛନ୍ତି କ୍ୟାମେରାମ୍ୟାନ୍ ମାନସ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । କହିଛନ୍ତି, ଫେବୃଆରୀ ୭ ତାରିଖ ସକାଳେ ମାନସଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ନିକଟରୁ ଅପହରଣ କରିଥିଲେ । ମାନସଙ୍କୁ ଅପହରଣ କରିବା ପାଇଁ ସେମାନେ ଫେବୃଆରୀ ୬ ତାରିଖ ରାତିରୁ ସେହି ସ୍ଥାନରେ ଅପେକ୍ଷା କରିଥିଲେ । ଶର୍ମିଷ୍ଠାଙ୍କୁ ଏହି ଅପହରଣରେ ରଞ୍ଜନ ନାୟକ, ଝୁନା ଭୋଇ, ଭାଗ୍ୟଧର ନାୟକ, ବିବେକ ସହଯୋଗ କରିଥିଲେ ।

ଅପହରଣ କରିବା ପରେ ମାନସଙ୍କୁ ଆଣି ସେହିଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ମରଣାନ୍ତକ ଅତ୍ୟାଚାର କରିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ । ଯେଉଁଥିରେ ମାନସଙ୍କର ମୃତ୍ୟୁ ହୋଇଯାଇଥିଲା । ଫେବୃଆରୀ ୮ ତାରିଖ ଅପରାହ୍ନରେ ଶର୍ମିଷ୍ଠା ତାଙ୍କ କାରରେ ମୃତ ଶରୀରକୁ ଧରି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନରେ ଥିବା ଏକ ସ୍ଥାନରେ ପୋତି ଦେଇଥିଲେ ।

ମାନସଙ୍କ ମୃତ୍ୟୁ ପରେ ଶର୍ମିଷ୍ଠା ଏବଂ ସହଯୋଗୀ ଝୁନା ଭୁବନେଶ୍ୱର ଏକ ନମ୍ବର ମାର୍କେଟରୁ ଅଖା ବସ୍ତା, ଗ୍ଲୋଭସ୍ ଓ ସୁତୁଲି ପ୍ରଭୃତି କିଣିଥିଲେ । ମୃତ ଶରୀରକୁ ରଣପୁର ନେବା ବାଟରେ ରାଜସୁନଖଳା ଠାରୁ ୧୦ କେଜି ଲୁଣ ମଧ୍ୟ କିଣିଥିଲେ ଝୁନା ଓ ଶର୍ମିଷ୍ଠା । ଭାଗ୍ୟଧର ଏବଂ ରଞ୍ଜନ ସେହି ରାଜସୁନାଖଳାରୁ ଫାଉଡ଼ା ଓ ଗଇନ୍ତି କିଣିଥିଲେ । ଭାଗ୍ୟଧରଙ୍କ ଘର ରଣପୁର ଥାନା ବଧିପାଟଣା ହୋଇଥିବାରୁ ସେଠାରୁ ଦୁଇ କିଲୋମିଟର ଦୂର ନୂଆ କାଟେଣୀରେ ମୃତଦେହକୁ ପୋତିବା ପାଇଁ ସ୍ଥିର କରିଥିଲେ । ମୃତ ଶରୀରକୁ ପୋତି ସାରିବା ପରେ ଦୈତାରୀ-ପାରାଦ୍ୱୀପ ଏକ୍ସପ୍ରେସ୍ ହାଇୱେର ଚଣ୍ଡିଖୋଲ ଠାରେ ମଧ୍ୟରାତ୍ରିରେ ପହଞ୍ଚିଥିଲେ ସମସ୍ତ ଅଭିଯୁକ୍ତ ଏବଂ ସେହିଠାରେ ହତ୍ୟାକାଣ୍ଡ ଓ ମୃତଦେହକୁ ସ୍ଥାନାନ୍ତର କରିବାରେ ବ୍ୟବହାର କରାଯାଇଥିବା ମାରଣାସ୍ତ୍ର ଅଖା ବସ୍ତା ଓ ଶାଢ଼ୀକୁ ନଷ୍ଟ କରିଥିଲେ । ଶର୍ମିଷ୍ଠା ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିବା ପରେ ଏ ବିଷୟରେ ଅଧିକ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।