ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଲା ‘ମାଣ୍ଡସ୍’, ଭାଙ୍ଗିଲା ଘର, ଉପୁଡିଲା ଗଛ ଓ ବିଦ୍ୟୁତ୍ ଖୁଂଟ

184

କନକ ବ୍ୟୁରୋ : ଚେନ୍ନାଇ ନିକଟ ମାମଲାପୁରମ୍ ଉପକୂଳ ଦେଇ ଅତିକ୍ରମ କଲା ପରେ ଧିରେ ଧିରେ ଦୁର୍ବଳ ହୋଇଛି ବାତ୍ୟା ‘ମାଣ୍ଡସ୍’ । ଏହାର ପ୍ରଭାବରେ ଉତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳବର୍ତୀ ଜିଲ୍ଲାଗୁଡିକରେ ହୋଇଛି ପ୍ରବଳ ବର୍ଷା । ଦୀର୍ଘ ୨ ଘଂଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିବା ବେଳେ ମାମଲାପୁରମ୍ ଓ ଚେନ୍ନାଇ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି  । ବାତ୍ୟା ମାଣ୍ଡସ୍ ପ୍ରଭାବରେ ବଡ ବଡ ଗଛ ଭାଙ୍ଗିପଡିଛି, ବିଦ୍ୟୁତ୍ ଖୁଂଟ ଉପୁଡିପଡିଛି । ତଳିଆ ଅଂଚଳରେ ଥିବା କଚ୍ଚା ଘର ବିଶେଷ ଭାବେ ପ୍ରଭାବିତ ହୋଇଛି । ମାଣ୍ଡସ୍ ପ୍ରଭାବରେ ତାମିଲନାଡୁରେ ୪ ଜଣଙ୍କ ମୃତ୍ୟୁହୋଇଥିବା ବେଳ ୪୦୦ରୁ ଅଧିକ ଗଛ ଉପୁଡିପଡିଛି । ଏନଡିଆରଏଫ ଟିମ୍ ରାସ୍ତା ଉପରକୁ ଗଛ ଗୁଡିକୁ କାଟିବାରେ ଲାଗିଛନ୍ତି ।

ଭୀଷଣ ବାତ୍ୟାର ରୂପ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ତାମିଲନାଡୁର ମାମଲାପୁରମ୍ ନିକଟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ‘ମାଣ୍ଡସ୍’ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଂଟା ପ୍ରତି ୮୫ କିଲୋମିଟର ରହିଥିଲା । ପ୍ରାୟ ୨ ଘଂଟା ଧରି ତାଣ୍ଡବ ରଚିବା ପରେ କ୍ରମେ ଏହା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇଥିଲା । ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇରେ ବନ୍ୟା ସ୍ଥିତି ଉପୁଜିଛି । ବିଭିନ୍ନ ସ୍ଥାନରେ ପାଣି ଜମିରହିବା ଯୋଗୁଁ ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି ।

ସାମୁଦ୍ରିକ ଝଡ ମାଣ୍ଡସ୍ ପ୍ରଭାବରେ ତାମିଲନାଡୁରେ ବିଶେଷ କ୍ଷୟକ୍ଷତି ହୋଇଛି । ପ୍ରଭାବିତ ଅଂଚଳକୁ ଯାଇ ପ୍ରଶାସନିକ ଅଧିକାରୀ ମାନେ କ୍ଷୟକ୍ଷତିର ଯାଂଚ କରୁଛନ୍ତି । କୁହାଯାଉଛି, ପ୍ରଶାସନ ଆଗୁଆ ପଦକ୍ଷେପ ଯୋଗୁଁ ଏକ ବଡ ବିପଦ ଟଳିଯାଇଛି ।