ଧାମନଗର ଓ ପଦ୍ମପୁର ଉପନିର୍ବାଚନ ପରେ କେଉଁ ଆଡେ ମୁହାଁଉଛି ରାଜ୍ୟ ରାଜନୀତି ? ୨ଟି ନିର୍ବାଚନ ଦେଉଛି କି ୨୦୨୪ ପାଇଁ ସଙ୍କେତ ?

166

କନକ ବ୍ୟୁରୋ: ବଦଳି ଯାଇଛି ରାଜ୍ୟ ରାଜନୀତିର ବାତାବରଣ । ରାଜ୍ୟର ଏକ ନମ୍ବର ଓ ଦୁଇ ନମ୍ବର ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଆକ୍ଷେପ, ପ୍ରତି-ଆକ୍ଷେପ । ପଦ୍ମପୁର ଉପନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ଯେପରି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ସମାଲୋଚନା କରିଥିଲେ, ପୂର୍ବରୁ ସେପରି କେବେ ଦେଖିବାକୁ ମିଳିନଥିଲା । ଦିନକ ପରେ ଏହାର ଜବାବ ଦେବାକୁ ପଛାଇ ନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ହିଁ ସଂକେତ ଦେଉଛି ଆଗାମୀ ଦିନରେ ଜୋରଦାର ହେବାକୁ ଯାଉଛି ଦୁଇ ଦଳ ମଧ୍ୟରେ ଲଢ଼େଇ ।

ଗୋଟିଏ ପରେ ଗୋଟିଏ ଉପନିର୍ବାଚନ ବିଜେଡି ଜିତିବା ପରେ ଏଥିରେ ରୋକ ଲଗାଇଥିଲା ଧାମନଗର । ବିଜେଡିର ରଣନୀତିକୁ ମାତ୍ ଦେଇ ଏହି ଆସନକୁ ନିଜ ପାଖରେ ରଖିବାକୁ ସମର୍ଥ ହୋଇଥିଲା ବିଜେପି । କିନ୍ତୁ ଧାମନଗରରୁ ଶିକ୍ଷା ନେଇ ପଦ୍ମପୁର ପାଇଁ ରଣନୀତି ସଂପୂର୍ଣ୍ଣ ବଦଳାଇ ଦେଇଥିଲା ବିଜେଡି ।

ପଦ୍ମପୁର ପାଇଁ ବିଜେଡିର ରଣନୀତି

———————-

-ଧାମନଗର ପ୍ରଚାରର ମଙ୍ଗ ଧରିଥିବା ନେତାଙ୍କୁ ବଦଳାଇ ଦିଆଗଲା

-ମାଇକ୍ରୋ ମ୍ୟାନେଜମେଂଟ ଉପରେ ଗୁରୁତ୍ୱ

-ସ୍ଥାନୀୟ ଅଂଚଳର ଦାବି ପୂରଣ ପାଇଁ ପ୍ରତିଶ୍ରୁତି

-ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ

-କଂଗ୍ରେସ ଭୋଟକୁ ଆପଣାଇବା ପାଇଁ ଯୋଜନା

ଧାମନଗରରେ ବିଜେଡିର ପରାଜୟ ସବୁଠୁ ବଡ଼ କାରଣ ଥିଲା ପୂର୍ବତନ ବିଧାୟକ ରାଜୁ ଦାସଙ୍କ ବିଦ୍ରୋହ । କୁହାଯାଉଛି, ୨୨ ବର୍ଷର ଶାସନ କାଳରେ ବିଜେଡିରେ ନୂଆ-ପୁରୁଣା ଅନେକ ନେତା ସୃଷ୍ଟି ହୋଇଛନ୍ତି । ସେମାନଙ୍କ ଉଚ୍ଚାକାଂକ୍ଷା ଦଳ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି । ଏବେ ନଜର ପକାଇବା କ’ଣ ସଂକେତ ଦେଲା ଧାମନଗର ଓ ପଦ୍ମପୁର ଉପନିର୍ବାଚନ ।

ଧାମନଗର ଓ ପଦ୍ମପୁରର ସଂକେତ

———————-

-ଯୁବ ଚେହେରା ଉପରେ ଲୋକଙ୍କ ଭରସା

-ପୂରା ଦମରେ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ବିଜେପି

-ବିଦ୍ରୋଦୀ ନେତା ବିଜେଡି ପାଇଁ ହୋଇପାରନ୍ତି ବୁମେରାଂ

-ଭୋଟ ରାଜନୀତିରେ ବିଫଳ ହେବାରେ ଲାଗିଛି କଂଗ୍ରେସ

ବିଜେଡି-ବିଜେପି ମଧ୍ୟରେ ସଲାସୁତରା ନେଇ ଯେଉଁ ଅଭିଯୋଗ ହୁଏ, ଏହାର ପ୍ରଭାବ ହୁଏତ ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିବ ନାହିଁ । ଦୁଇଟି ଉପନିର୍ବାଚନ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି, ଏଥର ଜୋରଦାର ହେବ ଦୁଇ ଦଳ ମଧ୍ୟରେ ଲଢ଼େଇ ।