ଆଜିଠାରୁ ସ୍କୁଲରେ “ପ୍ରବେଶ ଉତ୍ସବ’ : ଅଧାରୁ ପାଠ ଛାଡ଼ିଥିବା ଓ ନାମ ଲେଖାଇନଥିବା ପିଲାଙ୍କୁ ସ୍କୁଲ ଆଣିବାକୁ ଲକ୍ଷ୍ୟ

531

କନକ ବ୍ୟୁରୋ : ଏପ୍ରିଲ ୩ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ପାଳନ ହେବ “ପ୍ରବେଶ ଉତ୍ସବ’ । ଅଧାରୁ ପାଠ ଛାଡ଼ିଥିବା ଓ ନାମ ଲେଖାଇନଥିବା ପିଲାଙ୍କୁ ସ୍କୁଲ ଆସିବାକୁ ଉତ୍ସାହିତ କରିବା ଏହାର ଉଦେଶ୍ୟ । ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯିବ ।

ଏପ୍ରିଲ ୫ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟା, ପିତାମାତା ସଂଘ, ମାତୃମଞ୍ଚ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା, ଅଙ୍ଗନୱାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରତିନିଧି, ଶିକ୍ଷାବିତ୍‌ ଏବଂ ପିଲାଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ସ୍ଲୋଗାନ୍‌, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ। ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସଙ୍ଗଠନ, ବ୍ୟକ୍ତିବିଶେଷ ବିଦ୍ୟାଳୟର ଆଖପାଖରେ ଥିବା ଗ୍ରାମ ଓ ପଡ଼ାରେ ୬ରୁ ୧୪ ବର୍ଷ ବୟସର ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ । ପିଲାଙ୍କ ନାମଲେଖା ବିଦ୍ୟାଳୟରେ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ବୁଝାଇବେ । ଏପ୍ରିଲ୍‌ ୧୧ ପର୍ଯ୍ୟନ୍ତ ଏହି ଉତ୍ସବ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଓ ନାମଲେଖା‌ ଅଭିଯାନ ଚାଲୁ ରହିବ ।

ଏପ୍ରିଲ ୧୨ରେ ବିଦ୍ୟାଳୟରେ ‘ପୂର୍ଣ୍ଣ ଉପସ୍ଥାନ ଦିବସ’ ପାଳନ କରାଯିବ। ଏହି ଦିନ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯିବା ସହ ପାଠ୍ୟପୁସ୍ତକ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଫଟୋ ଚିତ୍ରଗୁଡ଼ିକୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅବଗତି ନିମନ୍ତେ ପଠାଇବାକୁ କୁହାଯାଇଛି । ସପ୍ତାହ ବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ଏକ ବ୍ୟାନର ଲଗାଯିବ । କାର୍ଯ୍ୟକ୍ରମ ଲାଗି ପ୍ରତି ବିଦ୍ୟାଳୟ ପାଇଁ ଏକ ହଜାର ଟଙ୍କା ବ୍ୟୟ ହେବ, ଯାହାକି ସମଗ୍ର ଶିକ୍ଷାର ଗୋଷ୍ଠୀ ସଞ୍ଚାଳନ ଉପ ବିଭାଗରୁ ଭରଣା କରାଯିବ ।