ସମଲିଙ୍ଗୀ ବିବାହ : କ’ଣ କହୁଛି ସ୍ପେଶାଲ ମ୍ୟାରେଜ ଆକ୍ଟ ? ବିବାହକୁ ଆଇନଗତ ମାନ୍ୟତା ମିଳିବା ଉଚିତ୍ କି ନାହିଁ ?

130

କନକ ବ୍ୟୁରୋ : ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ସମଲିଙ୍ଗୀଙ୍କ ବାହାଘରକୁ ଆଇନଗତ ମାନ୍ୟତା ମିଳିବା ଉଚିତ ନା ନାହିଁ , ଏନେଇ କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଓ ଆଟର୍ଣ୍ଣି ଜେନେରାଲଙ୍କୁ ନୋଟିସ ପଠାଇ ୪ ସପ୍ତାହ ଭିତରେ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । କିଛି ଦିନ ପୂର୍ବର ହାଇଦ୍ରାବାଦର ଦୁଇଜଣ ଯୁବକ ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଦେବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ନିଜ ଆବେଦନରେ କହିଥିଲେ ଯେ ୧୦ବର୍ଷ ହେବ ସେମାନେ ଏକାଠି ରହୁଛନ୍ତି ଓ ସେମାନଙ୍କ ସମ୍ପର୍କକୁ ପରିବାର ଅନୁମତି ଦେଇଛି ।

ତେବେ ସମଲିଙ୍ଗୀ ବାହାଘରକୁ ଅନ୍ୟ ବାହାଘର ପରି ସାମାଜିକ ମାନ୍ୟତା ଓ ସୁବିଧା ମିଳୁନି । ଅନ୍ୟଜଣେ ଆବେଦନକାରୀ କହିଥିଲେ କି ୧୭ବର୍ଷ ହେବ ସେମାନେ ଏକାଠି ରହୁଛନ୍ତି ଓ ବିବାହ ମଧ୍ୟ କରିଛନ୍ତି । ଏଥିସହ ସେମାନେ ଦୁଇଟି ପିଲାଙ୍କୁ ପୋଷୁଛନ୍ତି । କିନ୍ତୁ ସେମାନଙ୍କ ବିବାହକୁ ଆଇନଗତ ମାନ୍ୟତା ନିମିଳିଥିବାରୁ ବିଭିନ୍ନ ସରକାରୀ ନିୟମ ଓ ସୁବିଧାର ବଞ୍ଚିତ ରଖାଯାଉଛି । କେବଳ ସେତିକି ନୁହେଁ ଏକଥା ମଧ୍ୟ ଆବେଦନରେ କୁହାଯାଇଛି କି ଯଦି ସମ୍ପର୍କକୁ ଆଇନଗତ ମାନ୍ୟତା ନିମିଳିବ ତେବେ ସମଲିଙ୍ଗୀଙ୍କ ସମ୍ପତିର ଉତ୍ତରାଧିକାରୀ କିଏ ହେବେ ? କେନ୍ଦ୍ର ସରକାର ଜବାବ ଦେବା ପରେ ଆବେଦନ ଉପରେ ଶୁଣାଣୀ କରିବେ ସୁପ୍ରିମକୋର୍ଟ ।