ଶକ୍ତିଶାଳୀ ଦେଶ ରୁଷକୁ ଘାରିଛି ଭୟ । ରୁଷକୁ ଡରାଉଛି ଡାର୍ଟି ବମ୍

219

କନକ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପରମାଣୁ ଆକ୍ରମଣ ଆଶଙ୍କା ବଢିବାରେ ଲାଗିଛି । କିଛି ଦିନ ହେବ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବା ନେଇ ବାରମ୍ବାର ରୁଷ ଧମକଚମକ ଦେଇ ଆସୁଛି । ଏହା ଭିତରେ କିନ୍ତୁ ରୁଷର ମୁଣ୍ଡବିନ୍ଧାର କାରଣ ହୋଇଛି ଡାର୍ଟି ବମ୍ । ରୁଷ ସେନା ଓ ରୁଷ ଅକ୍ତିଆର କରିଥିବା ସ୍ଥାନମାନଙ୍କରେ ୟୁକ୍ରେନ ଡାର୍ଟି ବମର ପ୍ରୟୋଗ କରୁଥିବା ଅଭିଯୋଗ ଆଣିଛି ରୁଷ । ଏହା ଭିତରେ ଆମେରିକା ରୁଷକୁ ପୁଣି ଥରେ ଚେତାବନୀ ଦେଇ କହିଛନ୍ତି କି ଯଦି ରୁଷ ପରମାଣୁ ଆକ୍ରମଣ କରେ ଏହାର ବଡ ପରିଣାମ ଭୋଗିବାକୁ ପଡିବ ।

ରୁଷ ପ୍ରତିରକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି ରୁଷ ସେନା ଅକ୍ତିଆର କରିଥିବା ସ୍ଥାନରେ ୟୁକ୍ରେନ ଡାର୍ଟି ବୋମାରେ ଆକ୍ରମଣ କରୁଛି । ରୁଷ ପ୍ରତିରକ୍ଷାମନ୍ତ୍ରୀ ସଗେଇ ଶୋଝୁଙ୍ଗ ୟୁକ୍ରେନ ଉପରେ ଏହି ଅଭିଯୋଗ ଆଣିବା ସହ ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀର ନେତାଙ୍କୁ ଫୋନରେ ଏହି ସମ୍ବନ୍ଧରେ ଜଣାଇଛନ୍ତି । ଏଥିସହ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲାଏଡ ଆଷ୍ଟିନଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଇଛି ରୁଷ । କେବଳ ୟୁକ୍ରେନ ଉପରେ ରୁଷ ଅଭିଯୋଗ ଆଣିନି ବରଂ ଏକଥା ମଧ୍ୟ କହିଛି ୟୁକ୍ରେନ ନାଟୋ ଇସାରାରେ ଏଭଳି କରୁଛି । ୟୁକ୍ରେନ ମଧ୍ୟ ରୁଷର ଏହି ଅଭିଯୋଗକୁ ଖଣ୍ଡନ କରିଛି  । ଘଟଣାକୁ ନେଇ ମିଳିତ ଜାତିସଂଘର ପରମାଣୁ ନୀରିକ୍ଷଣ ସଂସ୍ଥା ଆଇ.ଇ.ଏ କହିଛି ରୁଷ ଯେଉଁ ଅଭିଯୋଗ ୟୁକ୍ରେନ ଉପରେ ଆଣୁଛି ତାର ପ୍ରମାଣ କିଛି ବି ଉପସ୍ଥାପନ କରୁନି । ତେଣୁ ନାଟୋ ଏହାକୁ ଖାରଜ କରୁଛି । ଏଥିସହ ରୁଷ ଆଶଙ୍କା ପ୍ରକାଶ କରିଛି କି:

ୟୁକ୍ରେନ ଉପରେ ରୁଷର ଅଭିଯୋଗ:

• କମ ଇନଟେନସିଟିରର ଘାତକ ବୋମାର ବ୍ୟବହାର କରିପାରେ ୟୁକ୍ରେନ
• ଋୁଷ ଅକ୍ତିଆର କରିଥିବା ସ୍ଥାନରେ ୟୁକ୍ରେନ କରିପାରେ ଆକ୍ରମଣ
• ରୁଷ ଏକଥା ମଧ୍ୟ ଦାବି କରୁଛି କି ଫଲସ ଫ୍ଲାଗ୍ ଆଟାକ ସହ ୟୁକ୍ରେନ ନୂଆ ଷଡଯନ୍ତ୍ର କରୁଛି
• ଖେରସୋନ ଇଲାକାକୁ ଟାର୍ଗେଟ କରୁଛିି ରୁଷ,
• ତେଣୁ ସେନାଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି କ୍ରେମଲିନ
• ରୁଷ ମିଡିଆ ଦାବି କରିଛି କି ଚେନୋବିଲରେ ଡାର୍ଟି ବମ ତିଆରି କରାଯାଉଛି

ସେପଟେ ରୁଷର ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡମୀର ଜେଲେନସ୍କି । ଜେଲେନସ୍କି କହିଛନ୍ତି , ଏଭଳି ମିଛ ଅଭିଯୋଗ ଆଣିବା ପଛରେ ରୁଷର ଏକ ବଡ ଷଡଯନ୍ତ୍ର ରହିଛି । ପୁଟିନ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଛି । ତେଣୁ ଏଭଳି ମିଛ ଅଭିଯୋଗ ଆଣି ପାଲଟା ଆକ୍ରମଣରେ ପରମାଣୁ ହତିଆର ବ୍ୟବହାର କରିବାକୁ ପ୍ଲାନ କରୁଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ ।

 

ରୁଷକୁ କଡ଼ା ଚେତାବନୀ ଦେଇଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ରୁଷର ଏଭଳି ଅଭିଯୋଗ ଭିତିହୀନ ଓ ନିଜର ଷଡଯନ୍ତ୍ରକୁ ସଫଳ କରିବା ପାଇଁ ଏଭଳି ମିଛ ଅଭିଯୋଗ କରୁଛି ରୁଷ । ଏଥିସହ ଆମେରିକା କହିଛି ଯୁଦ୍ଧ ଭିତରେ ଯଦି ରୁଷ ପରମାଣୁ ଆକ୍ରମଣ କରେ ତେବେ ଏହାର ବଡ ପରିଣାମ ରୁଷକୁ ଭୋଗିବାକୁ ପଡିବ ।

ଡାର୍ଟି ବମ୍ କ’ଣ?
-ଏହା ଏପରି ଏକ ବୋମା ଯେଉଁଥିରେ ରେଡିଓଆକ୍ଟିଭ ତଥା ବିକିରଣଶୀଳ ପଦାର୍ଥ ରହିଛି
-ୟୁରାନିୟମ ଭଳି ମାରାତ୍ମକ ବିସ୍ଫୋରକ ସାମଗ୍ରୀରେ ଏହି ବୋମା ପ୍ରସ୍ତୁତ
-ବୋମା ବିସ୍ପୋରଣ ପରେ ସେଥିରୁ ବିଷାକ୍ତ ଗ୍ୟାସ ବାହାରି ବାୟୁରେ ମିଶେ
-ଏହି ବୋମା ପାଇଁ ରେଡିଓଆକ୍ଟିଭ ପଦାର୍ଥ ହସ୍ପିଟାଲ, ନ୍ୟୁକ୍ଲିୟର ପାୱାର ପ୍ଲାଂଟ୍ ଏବଂ ଗବେଷଣା ଲାବ୍ରୋଟେରୀରୁ ଆସିଥାଏ
-ପରମାଣୁ ବୋମାଠୁ ଏହି ବୋମା ଶସ୍ତା ଏବଂ ଶିଘ୍ର ପ୍ରସ୍ତୁତ ହୋଇଯାଇଥାଏ
-ବୋମାରେ ୯ ଗ୍ରାମ କୋବଲଟ-୬୦ ଏବଂ ୫ କିଲୋ ବିସ୍ଫୋରକ ଟିଏନଟି ବ୍ୟବାହାର ହୋଇଥାଏ
-ଯାହା ଶରୀର ପାଇଁ ବହୁ କ୍ଷତିକାରକ ବୋଲି ଆମେରିକାର ବୈଜ୍ଞାନିକ କହିଛନ୍ତି

ପ୍ରାୟ ୮ମାସରୁ ଅଧିକ ସମୟ ହେବ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ଚଳିତବର୍ଷ ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ କେତେ କଣ ଯେ କ୍ଷତି ହୋଇଛି ତାକୁ ଆକଳନ କରିବା ଏକ ପ୍ରକାର ମୁସ୍କିଲ । ଉଭୟ ଦେଶ ସହୁଛନ୍ତି ଅଗଣିତ କ୍ଷତି । ଏହା ଭିତରେ ଡାର୍ଟି ବମକୁ ନେଇ ଶକ୍ତିଶାଳୀ ରୁଷ କୁଆଡେ ଭୟଭୀତ ହୋଇପଡିଛି ।