‘ଖଡ଼ଗେ’ଙ୍କ ହାତରେ କଂଗ୍ରେସର କମାଣ । ଦାୟିତ୍ୱ ଗ୍ରହଣ କଲେ, କର୍ମୀଙ୍କୁ ମନ୍ତ୍ର ଦେଲେ

78

କନକ ବ୍ୟୁରୋ : ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ପ୍ରାୟ ୨୪ବର୍ଷ ପରେ ଦଳକୁ ଅଣଗାନ୍ଧୀଙ୍କ ହାତକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟକ୍ଷ ଦାୟିତ୍ୱ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଯେଉଁଠି ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ଔପଚାରିକାତା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋନିଆ ଗାନ୍ଧୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଦଳର ଏହି ଗୁରୁଦାୟିତ୍ୱ ଖଡଗେଙ୍କ ହାତକୁ ଦେବା ପରେ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୋନିଆ କହିଛନ୍ତି ବର୍ତମାନ ଖଡ଼ଗେଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଦେବା ପରେ ସେ ଆଶ୍ୱସ୍ତି ପ୍ରଦାନ କରୁଛନ୍ତି । ସେପଟେ ଖଡ଼ଗେ କହିଛନ୍ତି ଦଳକୁ ମଜବୁତ କରିବା ପାଇଁ ପାରୁପର୍ଯନ୍ତ ଚେଷ୍ଟା କରିବେ ।

ଖଡ଼ଗେଙ୍କ ହାତରେ କଂଗ୍ରେସର ମଙ୍ଗ
• ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ଜଣେ ବରିଷ୍ଠ ନେତା
• ଗାନ୍ଧୀ ପରିବାରର ବିଶ୍ୱସ୍ତ ନେତା
• ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳି ନିଜର ଦକ୍ଷତା ପ୍ରମାଣ କରିଛନ୍ତି
• ବିଚାରଶୀଳ ଚିନ୍ତାଧାରା,ଶାନ୍ତ ସ୍ୱଭାବ ଯୋଗୁଁ କୌଣସି ବିବାଦରେ ଫଶି ନାହାଁନ୍ତି
• ତାଙ୍କର ଭାବମୂର୍ତି ସ୍ୱଚ୍ଛ ରହିଛି
• ଜଣେ ଟାଣୁଆ ଦଳିତ ନେତା ଭାବେ କର୍ଣ୍ଣାଟକ ଓ ଜାତୀୟ ରାଜନୀତିରେ ଦବଦବା ରହିଛି
• କଂଗ୍ରେସ ପାଇଁ ୨୦୨୩ କର୍ଣ୍ଣାଟକ ନିର୍ବାଚନ ପାଇଁ ଫାଇଦା ମିଳିପାରେ
• ଦଳର ପୁର୍ନଗଠନ ତାଙ୍କର ମୂଳ ଲକ୍ଷ୍ୟ ରହିବ

ଅକ୍ଟୋବର ୧୯ ତାରିଖରେ ନିର୍ବାଚନ ଫଳାଫଳରେ ଶଶୀ ଥରୁରଙ୍କୁ ହରାଇ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । କର୍ଣ୍ଣାଟକର ଦଳିତ ସମ୍ପ୍ରଦାୟର ୮୦ ବର୍ଷିୟ ଖଡଗେ ଅକ୍ଟୋବର ୧୭ ତାରିଖରେ ହୋଇଥିବା ଐତିହାସିକ ନିର୍ବାଚନରେ ନିଜ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶୀ ଥରୁରଙ୍କୁ ହରାଇଥିଲେ । ୧୩୭ ବର୍ଷର କଂଗ୍ରେସ ଇତିହାସରେ ଷଷ୍ଠଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା ।

କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । ଗୋଟିଏ ପଟେ ରାଜସ୍ଥାନରେ ରାଜନୈତିକ ସଂକଟ ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ସେପଟେ ଆଗାମୀ କିଛି ସପ୍ତାହ ପରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ମଧ୍ୟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଆସନ୍ତା ବର୍ଷ ହେବାକୁ ଥିବା ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନ ତାଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷା ହେବ ।