ବଢୁଛି ସୁଶ୍ରୀ ସଙ୍ଗୀତାଙ୍କ ମୃତ୍ୟୁ ରହସ୍ୟ । ସ୍ୱାମୀ ଓ ଶଶୁର ଏବେ ବି ଫେରାର । ଶାଶୂଙ୍କୁ ଗିରଫ କରି କୋର୍ଟରେ ହଜାର କଲା କମିସନରେଟ୍ ପୁଲିସ ।

225

କନକ ବ୍ୟୁରୋ: ଭୁବନେଶ୍ୱରରେ ନବବଧୂ ସୁଶ୍ରୀ ସଙ୍ଗୀତାଙ୍କ ମୃତ୍ୟୁ ନେଇ ବଢୁଛି ବିବାଦ । ଆଜି ତାଙ୍କ ଶାଶୁଙ୍କୁ ଗିରଫ କରାଯାଇଛି । କୋର୍ଟରେ ହାଜର ହେଲାବେଳେ ତାଙ୍କୁ କିଛି ବାଟ ଚଲାଇ ଚଲାଇ ନେଇଥିଲା ପୁଲିସ । ସଙ୍ଗୀତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଘର ଲୋକ ଅଭିଯୋଗ କରୁଛନ୍ତି କିନ୍ତୁ ଶାଶୁଘର ଲୋକ କହୁଛନ୍ତି, ସେ ଆତ୍ମହତ୍ୟା କରିଛନ୍ତି । ଏହାରି ଭିତରେ ସୁଶ୍ରୀ ସଙ୍ଗୀତାଙ୍କ ସ୍ୱାମୀ ଓ ଶଶୁର ଫେରାର ହେବା ପୁଲିସର ସନ୍ଦେହକୁ ବଢାଇଦେଇଛି ।

  • ବୋହୂର ମୃତ୍ୟୁ, ଶାଶୂ ଗିରଫ
  • ଦୀପାବଳିରେ ଲିଭିଗଲା ନବବଧୂଙ୍କ ଜୀବନ
  • ଚଲାଇ ଚଲାଇ ନେଲା ପୁଲିସ

ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ନବବଧୂ ସୁଶ୍ରୀ ସଙ୍ଗୀତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢୁଛି ବିବାଦ । ଏହି ମାମଲାରେ ସୁଶ୍ରୀଙ୍କ ଶାଶୁ ସାବିତ୍ରୀ ନାୟକଙ୍କୁ ଗିରଫ କରିଛି ପୁଲିସ । ସୁଶ୍ରୀ ସଙ୍ଗୀତାଙ୍କ ମୃତ୍ୟୁକୁ ନେଇ ଶାଶୁ ସାବିତ୍ରୀ ଆଜି କୋର୍ଟକୁ ଚାଲି ଚାଲି ଯିବା ଦେଖାଯାଇଥିଲା । ତେବେ ପୁଲିସ ଭୁବନେଶ୍ୱର କୋର୍ଟର ପ୍ରବେଶ ଦ୍ୱାରଠାରୁ କିଛି ଦୂରରୁ ତାଙ୍କୁ ଚଲାଇ ଚଲାଇ ନେବା ଦେଖାଯାଇଥିଲା । ଥାନାରେ ଅଭିଯୋଗ ପରେ ସାବିତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୁଲିସ । ସୁଶ୍ରୀ ସଙ୍ଗୀତାଙ୍କ ସ୍ୱାମୀ ଓ ଶଶୁର ଏବେ ବି ଫେରାର ଅଛନ୍ତି ।

ମାତ୍ର ଦେଢବର୍ଷ ମଧ୍ୟରେ ଏମିତି କଣ ଘଟିଗଲା ଯାହା ସୁଶ୍ରୀ ସଙ୍ଗୀତାଙ୍କ ସୁନାର ସଂସାରକୁ ଚୁନା କରିଦେଲା? ଦୀପାବଳି ରାତିରେ ସମସ୍ତେ ଉତ୍ସବରେ ମସଗୁଲ ଥିବାବେଳେ ସୁଶ୍ରୀଙ୍କ ଜୀବନଦୀପ ଲିଭିଯାଇଥିଲା । କିନ୍ତୁ ଏହି ମୃତ୍ୟୁକୁ ନେଇ ସସପେନ୍ସ ଲାଗିରହିଥିବାବେଳେ ସନ୍ଦେହ ବି ବଢୁଛି ।

  • ମୃତ୍ୟୁ ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ହୋଇଥିଲା କି ଗଣ୍ଡଗୋଳ?
  • ଉଭୟଙ୍କ ମଧ୍ୟ ଥିଲା କି ମନୋମାଳିନ୍ୟ ?

ଗତବର୍ଷ ଜାନୁଆରୀ ୨୦ରେ ସୁଶ୍ରୀ ସଙ୍ଗୀତାଙ୍କ ବାହାଘର ତମାଣ୍ଡୋ ଅଞ୍ଚଳର ପ୍ରବୀଣ କୁମାରଙ୍କ ସହ ହୋଇଥିଲା । ସୁଶ୍ରୀ ସଙ୍ଗୀତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି,ଶଶୁର ଘର ଲୋକ ଗଳାଚିପି ମାରିଦେବା ପରେ ଅସୁସ୍ଥ ଥିବା ନାଟକ କରି ଏମ୍ସରେ ଭର୍ତ୍ତି କରାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦ ବିଭିନ୍ନ କାରଣକୁ ନେଇ ସୁଶ୍ରୀକୁ ନିର୍ଯାତନା ଦେଉଥିଲେ । ସୋମବାର ଝିଅର ଦେହ ଖରାପ କହି ଏମ୍ସକୁ ଡାକିଥିଲେ । ଆଉ ଏଠାରେ ସୁଶ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । କିନ୍ତୁ ସୁଶ୍ରୀଙ୍କ ଶାଶୁଙ୍କ କଥା ହେଲା ସେ ଆତ୍ମହତ୍ୟା କରିଛନ୍ତି ।

  • କୁଆଡେ ଗଲେ ସୁଶ୍ରୀଙ୍କ ସ୍ୱାମୀ ଓ ଶଶୁର?
  • ଘଟଣାର ଖିଅ ଖୋଜୁଛି ପୁଲିସ

ସବୁଠାରୁ ବଡ କଥା ହେଲା ଘଟଣାରେ ସୁଶ୍ରୀଙ୍କ ସ୍ୱାମୀ ପ୍ରବୀଣ ଓ ଶଶୁରଙ୍କୁ ଖୋଜୁଛି ପୁଲିସ । ପ୍ରବୀଣ ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ସୁଶ୍ରୀ ସଙ୍ଗୀତା ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ତେବେ ସଙ୍ଗୀତା ମୃତ୍ୟୁ ପରେ ପ୍ରବୀଣ ଓ ଶଶୁର ଫେରାର ହେବା ଘଟଣା ପୁଲିସର ସନ୍ଦେହକୁ ବଢାଇଦେଇଛି । ଯୌତୁକ ଅଭିଯୋଗର ବି ତଦନ୍ତ ଚାଲିଛି ।