ହଠାତ୍ ଧାନ ବିଲରେ ମାଡି ଗଲା ଚିପିଲିମା ଡ୍ୟାମ ପାଣି । ଅମଳ ଆଗରୁ ପାଣିରେ ବୁଡିଲା ପାଚିଲା ଧାନ ।

96

କନକ ବ୍ୟୁରୋ: ବୁଡିଗଲା ୫୦ ଏକର ଧାନ ଚାଷ । ଚିପିଲିମା ପାଓ୍ବାର କେନାଲରେ ମାଡି ଆସିଲା ଅତ୍ୟଧିକ ପାଣି । ବୁଡିଗଲା ୫୦ ଏକର ଜମିର ଫଳନ୍ତି ଧାନ । ଭୁଲ ଜଳ ପରିଚାଳନା ପାଇଁ କ୍ଷତି ସହିଲେ ଚାଷୀ ।

ଅଧିକ ବିଜୁଳି ଉତ୍ପାଦନ ଆଶାରେ ଅଧିକ ପାଣି ଛାଡି଼ଦେଲା ଓଏପପିସି । ହଠାତ୍ ଅଧିକ ପାଣି ଆସିବାରୁ ଚିପିଲିମା ପାୱାର କେନାଲରେ ବଢି଼ଗଲା ଜଳସ୍ତର । ଡ୍ୟାମର ଅଧିକ ପାଣି ଧାନ ବିଲରେ ମାଡ଼ିଗଲା । କେନାଲ କଡରେ ଥିବା ୫୦ ଏକର ଧାନ ଫସଲ ପାଣିରେ ବୁଡି଼ଯାଇଛି । ତେବେ ହଠାତ୍ ସୁନାର କ୍ଷେତରେ ପାଣି ଭର୍ତି ହୋଇଯିବାରୁ ଚାଷୀଙ୍କ ହୋସ ଉଡିଯାଇଛି । ସମ୍ବଲପୁର ଜିଲ୍ଲା ଝାଙ୍କରପାଲି, ରଘୁନାଥପାଲି ଓ ମୁଣ୍ଡୋଘାଟି ଗାଁରେ ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି ।

ଆଉ ୫ରୁ ୧୦ ଦିନ ଭିତରେ ଧାନ ଅମଳ ହୋଇଥାନ୍ତା । କେତେକ ଜମିରେ ଧାନ ପାଚି ଯାଇଥିବା ବେଳେ ଅଧିକାଂଶ ଜମିରେ ଧାନ ଫଳନ୍ତି ଅବସ୍ଥାରେ ଅଛି । ଏହି ସମୟରେ ଦାଉ ସାଧିଛନ୍ତି ଡ୍ୟାମ୍ କର୍ତୃପକ୍ଷ । ଡ୍ୟାମ୍ କର୍ତୃପକ୍ଷ ଚାହିଁଥିଲେ, ଏହି ପରିସ୍ଥିତିକୁ ଏଡାଇ ପାରିଥାନ୍ତେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଡ୍ୟାମ୍ର ଜଳସ୍ତର ଅନୁଧ୍ୟାନ କରି ପାପଡେରା ଠାରେ ଥିବା ଗେଟ୍ କିମ୍ବା ସାଇଫନ୍ ଗେଟ୍ ଖୋଲି ଅଧିକ ଜଳକୁ ମହାନଦୀକୁ ଛାଡି ପାରିଥାନ୍ତେ । ଯଦି ତୁରନ୍ତ ଧାନ ଜମିରୁ ସଂପୂଣ୍ଣ ଜଳ ନିଷ୍କାସନ ନହୁଏ, ତେବେ ୫୦ ଏକର ଜମିରେ ଧାନ ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ରହିଛି ।