ଡାକ୍ତରଖାନା ଛାତରୁ ଖସିଲା କଂକ୍ରିଟ ସ୍ଲାବ । ଡ୍ରେସିଂ ରୁମରେ ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ

84

କନକ ବ୍ୟୁରୋ: ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍ ସ୍ଲାବ । ଡ୍ରେସିଙ୍ଗ୍ ରୁମ୍ ଛାତରୁ ଖସିଲା କଂକ୍ରିଟ୍ ସ୍ଲାବ୍ ଅଳ୍ପକେ ବର୍ତିଲେ କର୍ମଚାରୀ। ସମଗ୍ର ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଅସୁରକ୍ଷିତ ମଣୁଛନ୍ତି କର୍ମଚାରୀ ଓ ରୋଗୀ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ରଙ୍କାଳ, ରଘୁନାଥପୁର ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ବାସ୍ଥ୍ୟକେନ୍ଦ୍ରର ଡ୍ରେସିଙ୍ଗ୍ ରୁମ ଛାତରୁ ପ୍ରାୟ ୫ ଫୁଟ ଚଉଡାର ଏକ କଂକ୍ରିଟ୍ ସ୍ଲାବ୍ ଖସିପଡିବାରୁ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଓ ରୋଗୀ ।

କଂକ୍ରିଟ୍ ସ୍ଲାବଟି ଖସିପଡି ଛାତରେ ଝୁଲୁଥିବା ସିଲିଙ୍ଗ୍ ଫ୍ୟାନ୍ ଉପରେ ପଡିବାରୁ ତାହା ବଙ୍କା ହୋଇଯାଇଛି। ଛାତରୁ କଂକ୍ରିଟ୍ ସ୍ଲାବଟି ଖସିବାର ପ୍ରାୟ ୫ ମିନିଟ୍ ପୂର୍ବରୁ ଜଣେ ରୋଗୀ ଡ୍ରେସିଙ୍ଗ୍ କରି ଯାଇଥିଲେ ବୋଲି ସୂଚନା ଦେଇଛନ୍ତି କର୍ମଚାରୀ। ଛାତରୁ କଂକ୍ରିଟ୍ ସ୍ଲାବଟି ଖସି ବଡବଡ କଂକ୍ରିଟ୍ ଖଣ୍ଡ ଏକ ଟେବଲ ଉପରେ ପଡି ବଙ୍କା ହୋଇଯାଇ ଥିବାର ସୁଚନା ମିଳିଛି ଏପରି ଘଟଣା ପରେ କର୍ମଚାରୀ ଓ ରୋଗି ଉଭୟ ଅସୁରକ୍ଷିତ ମଣୁଛନ୍ତି ।

ଖାଲି ସେତିକି ନୁହଁ ୧୯୬୭ ମସିହାରେ ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଏହାର ଭିତ୍ତିଭୂମିର ଉନ୍ନତି ହୋଇପାରି ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଗୃହଟି ଜରାଜିର୍ଣ୍ଣ ହୋଇପଡିଥିବା ବେଳେ ସମସ୍ଥ ଗୃହର ଛାତରୁ କଂକ୍ରିଟ୍ ସ୍ଲାବ୍ ଖସି ରଡ ଦେଖାଯାଉଛି। ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଜଣ କର୍ମଚାରୀ ଥିବାବେଳେ ଦୀର୍ଘଦିନ ହେବ ଡାକ୍ତର ନଥିବାରୁ ଆୟୁଷ ଡାକ୍ତର ରୋଗୀସେବା କରୁଛନ୍ତି। ଆଖପାଖ ଅଞ୍ଚଳର ପ୍ରାୟ ୩ଟି ପଞ୍ଚାୟତର ହଜାର ହଜାର ଲୋକ ମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ଆଜି ନିଜେ ଅସୁରକ୍ଷିତ ହୋଇପଡିଛି ।