ଦଶମ ଶ୍ରେଣୀ ଛାତ୍ରର ସାହସିକତା । ଆକ୍ରମଣକାରୀ କବଳରୁ ବାପା-ମାଆଙ୍କୁ ବଞ୍ଚାଇଲା ନାବାଳକ ।

164

କନକ ବ୍ୟୁରୋ: ବିଳମ୍ବିତ ରାତିରେ ବାପା-ମାଆଙ୍କୁ ହାଣି ପକାଉଥିଲା ଦୁର୍ବୃତ୍ତ, ବାପାଙ୍କୁ ହାଣିବା ପରେ ମାଆଙ୍କୁ ଭୁଜାଲିରେ ହାଣି ରକ୍ତାକ୍ତ କରିଥିଲା ରକ୍ତମୁଖା ଅଭିଯୁକ୍ତ । ଆଉ ଏତିକି ବେଳେ ସାହାସ ଜୁଟାଇ ଅଭିଯୁକ୍ତ ସହ ଲଢି ତାକୁ କାବୁ କରିନେଇଥିଲା ନାବାଳକ ପୁଅ । ଆଖି ସାମ୍ନାରେ ବାପା-ମାଆଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ସହ ଅଭିଯୁକ୍ତକୁ ଗାମୁଛାରେ ବାନ୍ଧି, ଗାଁ ଲୋକ ଏବଂ ପୁଲିସକୁ ଖବର ଦେଇଥିଲା ଦଶମ ଶ୍ରେଣୀର ସାହସୀ ଛାତ୍ର ।

ଉପସ୍ଥିତ ବୁଦ୍ଧି ଖଟାଇ ବାପା, ମାଆଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସର ଗାଁର ନାବାଳକ ଛାତ୍ର । ଅଭିଯୁକ୍ତକୁ କାବୁ କରି ପୁଲିସର ଜିମା ଦେଇଛନ୍ତି ସାହସୀ ଛାତ୍ର । ଘଟଣାଟି ସମଗ୍ର ଅଂଚଳରେ ଚହଳ ସୃଷ୍ଟି କରିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ, କେନ୍ଦ୍ରାପଡା କଂସର ଗାଁର ଗଗନ ଲେଙ୍କାଙ୍କ ମିଝିଆଁ ଝିଅ ତିନି ବର୍ଷ ତଳେ ଅଭିଯୁକ୍ତକୁ ବିବାହ କରିଥିଲେ । ପରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମତାନ୍ତର ହେବାରୁ ଝିଅକୁ ଆଣି ଅନ୍ୟତ୍ର ବାହା ଦେଇଥିଲେ ବାପା ଗଗନ ଲେଙ୍କା । ଏହି ଘଟଣାର ପ୍ରତିଶୋଧ ନେବାକୁ ଯାଇ ପୂର୍ବତନ ଜ୍ୱାଇଁ ଗଗନ ଲେଙ୍କା ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଛି ।

ତେବେ ଏତେ କମ୍ ବୟସରେ ସାହସ ଜୁଟାଇ ବାପା-ମାଆଙ୍କ ଜୀବନ ବଞ୍ଚାଇଥିବା ନାବାଳକ ପୁଅକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।