୬୦ ବର୍ଷ ଧରି ଏହି ଘରେ ରହୁଛନ୍ତି ଭାରତର ଉପ ରାଷ୍ଟ୍ରପତି । କଣ ଏହାର ଇତିହାସ ପଢନ୍ତୁ …

261

କନକ ବ୍ୟୁରୋ: ଭାରତର ରାଷ୍ଟ୍ରପତି ନିର୍ବାଚନ ପରେ ଉପ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଅଗଷ୍ଟ ୧୧ ତାରିଖରେ ନୂଆ ଉପ ରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ ଶପଥ ନେବେ । ବର୍ତ୍ତମାନର ଉପ ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବ । ଶପଥ ନେବା ପରେ ନୂଆ ଉପ ରାଷ୍ଟ୍ରପତି ଭବନରେ ଜଗଦୀପ ଧନଖଡ ପ୍ରବେଶ କରିବେ । ବର୍ତ୍ତମାନ ମୌଲାନା ଆଜାଦ ରୋଡରେ ଉପ ରାଷ୍ଟ୍ରପତି ଭବନ ରହିଛି । ଏହାରି ଭିତରେ ନୂଆ ଉପ ରାଷ୍ଟ୍ରପତି ଭବନ ନିର୍ମାଣ ହେବାକୁ ଯାଉଛି । ତେବେ ରୋଚକ କଥା ହେଉଛି ଏହି ବଙ୍ଗଳାରେ ଗତ ୬୦ ବର୍ଷ ଧରି ଭାରତର ଉପ ରାଷ୍ଟ୍ରପତି ରହିଆସୁଛନ୍ତି ।

ଭାରତର ଉପରାଷ୍ଟ୍ରପତିଙ୍କ ଆଧିକାରୀକ ନିବାସ ଉପ ରାଷ୍ଟ୍ରପତି ଭବନ ମୌଲାନା ଆଜାଦ ରୋଡରେ ରହିଛି । ୧୯୬୨ ମେ ମାସରେ ଏହି ରୋଡରେ ଥିବା ବଙ୍ଗଳା ନଂ ୬କୁ ଭାରତର ଉପ ରାଷ୍ଟ୍ରପତିଙ୍କ ନିବାସ ଭାବେ ସ୍ୱିକୃତୀ ମିଳିଥିଲା । ୬.୪୮ ଏକର ଜମି ଉପରେ ଏହି ବଙ୍ଗଳା ରହିଛି । ଏହାର ଦକ୍ଷିଣରେ ମୌଲାନା ଆଜାଦ ରୋଡ, ପୂର୍ବରେ ମାନସିଂହ ରୋଡ, ପଶ୍ଚିମରେ ରାଜପଥ ରହିଛି । ବିଜ୍ଞାନ ଭବନର ସୀମାକୁ ଲାଗି ଏହି ବଙ୍ଗଳା ଦଣ୍ଡାୟମାନ ରହିଛି ।

ଏହି ବଙ୍ଗଳାର ସ୍ୱତନ୍ତ୍ର ଇତିହାସ ରହିଛି । ଏହି ଘରେ ଭାରତର ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ ତଥା ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦ ୧୯୪୭ରୁ ୧୯୫୮ ଯାଏ ରହିଆସୁଥିଲେ । ସେତେବେଳେ ଏହି ରୋଡର ନାଁ କିଙ୍ଗ୍ ଏଡୱାର୍ଡ୍ ରୋଡ୍ ଥିଲା । ତାଙ୍କ ମୃତ୍ୟୁ ପରେ ଏହି ରୋଡର ନାଁ ମୌଲାନ ଆଜାଦ ରୋଡ ଭାବେ ନାମିତ ହୋଇଥିଲା ।

ଏହି ଉପ ରାଷ୍ଟ୍ରପତି ଭବନରେ ସବୁଠାରୁ ଅଧିକ ଦିନ ରହିଥଲେ ପୂର୍ବତନ ଉପ ରାଷ୍ଟ୍ରପତି ହମିଦ ଅନସାରୀ । ଦୁଇ ଥର ସେ ଦେଶର ଉପ ରାଷ୍ଟ୍ରପତି ପଦରେ ରହିଥିଲେ । ୧୦ ବର୍ଷ ଧରି ସେ ଏଠାରେ ରହିଥିଲେ । ଭାରତର ଦ୍ୱିତୀୟ ଉପ ରାଷ୍ଟ୍ରପତି ଯିଏ ଦ୍ୱିତୀୟ ଥର ପାଇଁ ଏହି ପଦରେ ରହିଥିଲେ । ତାଙ୍କ ପୂର୍ବରୁ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ ଦୁଇ ଥର ଉପ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ତେବେ ସେ ଉପରାଷ୍ଟ୍ରପତି ହୋଇଥିଲେ ବି ଏଠାରେ ରହିନଥିଲେ । ସେ ୟର୍କ ରୋଡରେ ରହୁଥିଲେ ଯାହା ବର୍ତ୍ତମାନ ମୋତିଲାଲ ନେହରୁ ରୋଡ ଭାବେ ନାମିତ ହୋଇଛି । ସେତେବେଳେ ମୌଲାନା ଆଜାଦ ନିଜେ ଏହି ଘରେ ରହିଆସୁଥିଲେ । ୧୯୬୨ରେ ଏହା ଉପ ରାଷ୍ଟ୍ରପତି ଭବନ ପାଲଟିଥିଲା । ସର୍ବପଲ୍ଲ୍ୀ ରାଧାକୃଷ୍ଣନ ସେତେବେଳେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା କାରଣରୁ ରାଷ୍ଟ୍ରପତି ଭବନକୁ ଚାଲିଯାଇଥିଲେ ।

ଏହି ଭବନକୁ ଅନେକ ଉପ ରାଷ୍ଟ୍ରପତି ନିଜ ନିଜ ହିସାବରେ କିଛି ନା କିଛି ସ୍ମୃତି ଛାଡିଯାଇଛନ୍ତି । ସବୁଠାରୁ ଚର୍ଚ୍ଚାର ବିଷୟ ଏଠାରେ ଗୋଟିଏ ଛୋଟ ମସଜିଦ ମଧ୍ୟ ରହିଛି । ପରେ ଏହା ପରିସରରେ ମନ୍ଦିର ମଧ୍ୟ ନିର୍ମାଣ ହୋଇଛି । ପୂର୍ବତନ ଉପ ରାଷ୍ଟ୍ରପତି କେ. ଆର ନାରାୟଣନ ନିଜ କାର୍ଯ୍ୟକାଳ ସମୟରେ ମହାତ୍ମା ଗାନ୍ଧୀଙ୍କ ଦୁଇଟି ଚିତ୍ର ଛାଡିଯାଇଥିଲେ । ୧୯୯୨ ମସିହା ଡିସେମ୍ବର ୬ରେ ବାବ୍ରି ମସଜିଦ ଭଙ୍ଗା ହେବା ପରେ ଦେଶରେ ସଙ୍କଟ ଦେଖା ଦେଇଥିଲା । ତେବେ ଏହାର କିଛି ଦିନ ପରେ ଉପ ରାଷ୍ଟ୍ରପତି ଭବନକୁ କେଆର ନାରାୟଣନ ମହାତ୍ମା ଗାନ୍ଧୀଙ୍କର ଦୁଇଟି ଫଟୋ ଚିତ୍ର ଆଣିଥିଲେ । ଜଣେ ଦାର୍ଶନିକ ଭାବେ ଏହି ଦୁଇ ଚିତ୍ରରେ ମହାତ୍ମା ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ଗୋଟିଏ ଚିତ୍ର ବର୍ତ୍ତମାନ ସଂସଦ ଭବନରେ ଥିବା ବେଳେ ଅନ୍ୟ ଫଟୋ ଚିତ୍ରଟି ଉପ ରାଷ୍ଟ୍ରପତି ଭବନର ଡ୍ରଇଂ ରୁମରେ ଲାଗିଛି ।

ନିକଟରେ ଶୀଘ୍ର ନୂଆ ଉପ ରାଷ୍ଟ୍ରପତି ଭବନ ନିର୍ମାଣ ହେବାକୁ ଯାଉଛି । ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ଏହି ନୂଆ ଭବନ ତିଆରି ହେବ । ଏହି ନୂଆ ଘର କେନ୍ଦ୍ରୀୟ ସଚିବାଳୟ ନିକଟ ଚର୍ଚ୍ଚ ରୋଡରେ ୧୫ ଏକର ପରିମିତ ଜମିରେ ନିର୍ମାଣ ହେବ ।