ଆଜି ରଙ୍ଗାରଙ୍ଗ ପରିବେଶରେ ଉଦଘାଟନ ହେବ ହକି ମହାକୁମ୍ଭ : ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ; ଯାଦୁ ଦେଖାଇବେ ରଣବୀର ସିଂ ଓ ଦିଶା ପଟାନୀ

184

କନକ ବ୍ୟୁରୋ : ଆଜି ବାଜିବ ହକି ବିଶ୍ୱକପ୍ ବିଗୁଲ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହିବେ । ଉଦଘାଟନୀ ଉତ୍ସବ ପାଇଁ ଆସିଛନ୍ତି ଦେଶର ଜଣାଶୁଣା ଅଭିନେତା, ଅଭିନେତ୍ରୀ ଓ କଣ୍ଠଶୀଳ୍ପି ।

ସକାଳ ୮ଟାରେ ଏକ ଶୋଭାଯାତ୍ରାରେ ଟ୍ରଫିକୁ ସହର ପରିକ୍ରମା ପାଇଁ ନିଆଯିବ। ଶୋଭାଯାତ୍ରାଟି ପ୍ରଥମେ କଟକ ଚଣ୍ଡୀ ମନ୍ଦିରକୁ ଯିବ। ଏହାପରେ ଏହାକୁ ଶୈଳବାଳା ମହିଳା କଲେଜ, ସମାଜ ଅଫିସ, ବକ୍ସିବଜାର, ନେତାଜୀ ସଂଗ୍ରହାଳୟ, କଦମ-ଏ-ରସୁଲ, ନୟାସଡ଼କ, ବାଲୁ ବଜାର, ହାଇକୋର୍ଟ ଛକ, ଚାନ୍ଦିନୀଚୌକ, ବେଲଭ୍ୟୁ ଛକ ଦେଇ ଶୋଭାଯାତ୍ରାକୁ ସତୀଚୌରା ଛକରୁ ସିଡିଏ ୬ ନମ୍ବରସ୍ଥିତ ଆଇ ହସ୍ପିଟାଲ ଦେଇ ସିଡ଼ିଏ -୯ ମାର୍କେଟ କଂପ୍ଲେକ୍ସ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ନିଆଯିବ ।

ସେଠାରୁ ଏହାକୁ ଚହଟା ଦେଇ ରିଂ ବନ୍ଧ ରାସ୍ତାରେ ଯୋବ୍ରା ‌ଦେଇ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରକୁ ନିଆ‌ଯିବ । ଏଠା‌ରୁ ଟ୍ରଫିକୁ ରାଣୀହଟ ଛକ, ମଙ୍ଗଳାବାଗ ଛକ ଓ ମାତାମଠ ଛକଦେଇ ଅପରାହ୍ନ ସାଢ଼େ ବାରଟାରେ କ୍ୟାଣ୍ଟନ୍‌ମେଣ୍ଟ ରାସ୍ତାରେ ବାରବାଟୀ ଷ୍ଟାଡିୟମକୁ ଅଣାଯିବ । ଅପରାହ୍ନ ୨ଟାରୁ ଖୋଲିବ ଷ୍ଟାଡିୟମ୍ ଗେଟ୍, ୩ଟାରୁ ଉଦଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ୍ ।

ଉଦଘାଟନୀ ଉତ୍ସବରେ ଧମାଲ କରିବେ ବଲିଉଡ୍ ଷ୍ଟାର ରଣବୀର ସିଂହ ଓ ଦିଶା ପଟାନୀ । ସେହିଭଳି ପ୍ରୀତମଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଦର୍ଶକ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଛାତ୍ରଛାତ୍ରୀ ଦେଖିପାରିବେ । ଏଥିପାଇଁ ରାଜ୍ୟରେ ସରକାରୀ, ଓ ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ସ୍କୁଲଗୁଡିକୁ ଅପରାହ୍ନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି । କଟକ ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ, ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।

ବଲିଉଡ୍‌ ତାରକା ରଣବୀର ସିଂହ ଓ ଦିଶା ପଟାନୀଙ୍କ ସହ ପ୍ରସିଦ୍ଧ କେ-ପପ୍‌ ବ୍ୟାଣ୍ଡ ବ୍ଲାକ୍‌ସ୍ବାନ ଗ୍ରୁପ୍‌, ଓଡ଼ିଶାର ଜଣାଶୁଣା ଗାୟିକା ଶ୍ରେୟା ଲେଙ୍କା ନିଜର ଜଲୱା ଦେଖାଇବେ । ସୁନାମଧନ୍ୟ କଣ୍ଠ ଶିଳ୍ପୀ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକାଶ ଅଜିଜ, ଶାଲମାଲି ଖୋଲଗାଡେ ଓ ନମିତା ମେଲେକାଙ୍କ ସହ ହକି ବିଶ୍ବକପ୍‌ ୨୦୨୩ ଗୀତର ଲେଖକ ପ୍ରୀତମ ଷ୍ଟେଜ୍‌କୁ ଆସିବେ । ନୃତ୍ୟୁ ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାରପ୍ରାପ୍ତ ସିଆମକ ଡାଭର ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫ କରିଛନ୍ତି ।