ଅବପାତର ରୂପ ନେଲା ବଙ୍ଗୋପସାଗରରୁ ସୃଷ୍ଟ ଲଘୁଚାପ । ସମୁଦ୍ରରେ ଅଧିକ ଘନୀଭୂତ ହୋଇ ୨୫ରେ ବାତ୍ୟା । ୨୬ ତାରିଖରେ ନେଇପାରେ ଭୀଷଣ ବାତ୍ୟାର ରୂପ ।

846

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନିଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି । ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ଏହା ଆହୁରି ତୀବ୍ର ରୂପ ଧାରଣ କରିବ । ଆସନ୍ତାକାଲି ଅର୍ଥାତ ୨୫ ତାରିଖ ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ୨୬ ତାରିଖରେ ନେଇପାରେ ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯଦି ବାତ୍ୟା ଆସେ, ତେବେ ଏହାର ନାଁ ‘ରେମାଲ’ ରହିବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ‘ରେମାଲ’ ବାଂଲାଦେଶ ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି ।

ଓଡ଼ିଶା ଉପକୂଳଠାରୁ ଅନେକ ଦୂରରେ ବାତ୍ୟା ‘ରେମାଲ’ ଗତି କରିବ । ତେଣୁ ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହଁ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଆଜି ରାତିରୁ ୨୬ ତାରିଖ ରାତି ଯାଏଁ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର କିଛି ଅଂଚଳରେ ଅତି ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୨୭ ତାରିଖରେ ବାଲେଶ୍ୱର ଓ ମୟୂରଭଂଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଉପକୂଳରେ ପବନର ବେଗ ରହିପାରେ ୪୦ରୁ ୫୦ କିଲୋମିଟର ।