ଘରୋଇ ସିଜିନ୍ ପାଇଁ ଖେଳସୂଚୀ ଜାରି କଲା ବିସିସିଆଇ । ଜୁନ୍ ୨୮ରୁ ଦିଲୀପ ଟ୍ରଫି, ଜାନୁଆରୀ ୫ରୁ ଆରମ୍ଭ ହେବ ରଣଜୀ ଟ୍ରଫି ।

186

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ନିଜର ଆଗାମୀ ଘରୋଇ ସିଜିନ୍ ପାଇଁ ଖେଳସୂଚୀ ଜାରି କରିଛି । ଘରୋଇ ସିଜିନରେ ସବୁଠୁ ଅଧିକ ଗୁରୁତ୍ୱ ବହନ କରୁଥିବା ରଣଜୀ ଟ୍ରଫି ଜାନୁଆରୀ ୫ରୁ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ ୭୦ ଦିନ ଧରି ରଣଜୀ ଟ୍ରଫି ଖେଳାଯିବ । ଯାହାର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୧୪ ତାରିଖରେ ଖେଳାଯିବ । ଖାଲି ସେତିକି ନୁହେଁ, ଏଥର ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ଦିଲୀପ ଟ୍ରଫିରୁ ଆରମ୍ଭ ହେବ । ଯାହାକି ଜୁନ୍ ୨୮ରୁ ଆରମ୍ଭ ହେବାକୁ ଯାଉଛି ।

ଦିଲୀପ ଟ୍ରଫିର ଫାଇନାଲ ମ୍ୟାଚ୍ ଜୁଲାଇ ୧୬ ତାରିଖରେ ଖେଳାଯିବ । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଦିଲୀପ ଟ୍ରଫି ପରେ ଜୁଲାଇ ୨୪ରୁ ଅଗଷ୍ଟ ୪ ଭିତରେ ଦେଓଧର ଟ୍ରଫି ଖେଳାଯିବ । ତା ପରେ ପରେ ଇରାନୀ କପ୍ ଖେଳାଯିବ । ଯେଉଁଥିରେ ରଣଜୀ ଚାମ୍ପିୟନ୍ ସୌରାଷ୍ଟ୍ର ଟିମ୍ ଏବଂ ଅବଶିଷ୍ଟ ଭାରତ ମୁହାଁମୁହିଁ ହେବେ । ଇରାନୀ କପ୍ ଆସନ୍ତା ଅକ୍ଟୋବର ୧ରୁ ଆରମ୍ଭ ହେଇ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି ।

ବିସିସିଆଇ ତରଫରୁ ମିଳିଥିବା ସୂଚନା ମୁତାବକ, ସଦୟ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ଅକ୍ଟୋବର ୧୬ରୁ ଆରମ୍ଭ ହେଇ ନଭେମ୍ବର ୬ରେ ଶେଷ ହେବ । ଏହାପରେ ୫୦ ଓଭର ବିଶିଷ୍ଟ ବିଜୟ ହଜାରେ ଟ୍ରଫି ନଭେମ୍ବର ୨୩ରୁ ଡିସେମ୍ବର ୧୫ ଭିତରେ ଖେଳାଯିବ ।