ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ୪ବର୍ଷ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲା ଦେଶ, ଦିଗବିଜୟ ସିଂଙ୍କ ବୟାନକୁ ନେଇ ତେଜିଲା ବିବାଦ

100

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଛି ୪ ବର୍ଷ । ୨୦୧୯ ମସିହା ଫେବୃୟାରୀ ୧୪ରେ ଦେଶରେ ବଡ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୪୪ ଜଣ ଯବାନ ସହିଦ ହୋଇଥିଲେ । ସେ ଦିନର ଏହି ଘଟଣା ଏବେ ବି ମନରୁ ଲିଭିନି । ଆକ୍ରମଣର ସେହି ଦୃଶ୍ୟ ଆଖି ସାମ୍ନାକୁ ଆସିଲେ ଏବେ ବି ଲୋମ ଟାଙ୍କୁରି ଯାଉଛି । ଜାମ୍ମୁ-କଶ୍ମୀର ଜାତୀୟ ରାଜପଥରେ ଯବାନଙ୍କ ବସ୍ ଯାଉଥିବା ବେଳେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଯେଉଁଥିରେ ଆଖି ପିଛୁଳାକେ ୪୪ ଜଣ ଯବାନ ସହିଦ ହୋଇଥିଲେ । ଅବଶ୍ୟ ଏହି ଘଟଣା ପରେ ଭାରତ ପାଲଟା ଆକ୍ରମଣ କରିଥିଲା । ୨୬ ଫେବୃୟାରୀ ଦେଶର ବାଦାଦୂର ଯବାନ ପାକିସ୍ତାନ ଭିତରେ ପଶି ନେଇଥିଲେ ପ୍ରତିଶୋଧ । ହେଲେ ଏବେ ବି ଏହି ଘଟଣାକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ହେବାରେ ଲାଗିଛନ୍ତି ।

କଂଗ୍ରେସ ନେତା ଦିଗବିଜୟ ସିଂ ପୁଲୱାମା ଆକ୍ରମଣ ନେଇ ଏବ ବଡ ବୟାନ୍ ଦେଇଛନ୍ତି । ଟୁଇଟ୍ କରି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରକୁ ଆକ୍ଷେପ କରି ତୀରଛା ବାଣ ମାରିଛନ୍ତି ଦିଗବିଜୟ ସିଂ । ଏହି ଆକ୍ରମଣ ପାଇଁ ଗୁଇନ୍ଦା ବିଭାଗର ଅସଫଳତାକୁୁ ସେ ଦାୟୀ କରିଛନ୍ତି । ଦିଗବିଜୟ କହିଛନ୍ତି ଯଦି ଗୁଇନ୍ଦା ବିଭାଗ ଅସଫଳ ହୋଇନଥାନ୍ତା ତେବେ ଭାରତୀୟ ସେନାର ୪୦ଜଣ ଯବାନ ସହିଦ ହୋଇ ନଥାନ୍ତେ । କଂଗ୍ରେସ ନେତାଙ୍କ ଏହି ବିବୃତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ବିଜେପି କହିଛି, ଦିଗବିଜୟଙ୍କ ବୁଦ୍ଧି ଭ୍ରଷ୍ଟ ହୋଇଛି । ସେନାଙ୍କ ମନବୋଳ ଦୁର୍ବଳ କରିବାକୁ ଏଭଳି ପ୍ରଶ୍ନ ଉଠାଉଥିବା ନେଇ କହିଛି ବିଜେପି । ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ସମାଲୋଚନା ଘେରକୁ ଆସିଥିଲେ ଦିଗବିଜୟ ସିଂ ।