ଅଣଛାତ୍ରଙ୍କୁ ବାହାର କରିବାକୁ ଆସି ହଟହଟା ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ହଷ୍ଟେଲ ଫାଟକରେ ତାଲା ପକାଇ ଅନ୍ତେବାସୀଙ୍କ ବିରୋଧ

160

କନକ ବ୍ୟୁରୋ: ବାଣୀବିହାରରେ ସେମିନାର ଚାଲିଥିବାବେଳେ, ଗଣ୍ଡଗୋଳ ପରେ କ୍ୟାମ୍ପସରେ ଥିବା ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ଗୁରୁବାର ସନ୍ଧ୍ୟାରେ ହଷ୍ଟେଲ ନିକଟରେ ପହଁଚିଥିଲେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଟିମ୍ । ତେବେ ସିକ୍ୟୁରିଟିଗାର୍ଡ ଧରି ଗୋପବନ୍ଧୁ ଓ ମଧୁସୂଦନ ହଷ୍ଟେଲ ନିକଟରେ ପହଞ୍ଚିଥିଲେ ଟିମ୍ । କିନ୍ତୁ ଏହା ପୂର୍ବରୁ ସେଠାରେ ମେଳି କରିଥିବା ଶହ ଶହ ଛାତ୍ର ଟିମକୁ ବିରୋଧ କରିଥିଲେ । ଗେଟରେ ତାଲା ପକାଇ କାହାରିକୁ ହଷ୍ଟେଲ ଭିତରକୁ ଯିବାକୁ ଦେଇନଥିଲେ । ପାଲଟା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଟାର୍ଗେଟ କରିଥିଲେ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବସ୍ତି ବଢ଼ି ଚାଲିଥିବାରୁ ଛାତ୍ରମାନେ ଉଦବେଗ ପ୍ରକାଶ କରିଥିଲେ । କହିଥିଲେ ପ୍ରଥମେ କ୍ୟାମ୍ପସକୁ ବସ୍ତି ମୁକ୍ତ କର । ପରେ ପିଲାଙ୍କ କଥା ଚିନ୍ତା କରିବ । ବହୁ ସମୟ ଧରି କର୍ତୁପକ୍ଷ ଓ ଛାତ୍ରଙ୍କ ମଧ୍ୟରେ ଛକାପଞ୍ଝା ପରେ ଶେଷରେ ଫେରି ଯାଇଥିଲା ଟିମ୍ ।

  • ଅଣଛାତ୍ର ହଟାଇବାକୁ ନେଇ ଉତ୍ତେଜନା
  • ମୁହାଁମୁହିଁ କର୍ତ୍ତୃପକ୍ଷ ଓ ଛାତ୍ର
  • ହଟହଟା ହୋଇ ଫେରିଲା ଟିମ୍

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ, କ୍ୟାମ୍ପସରେ ଥିବା ହଷ୍ଟେଲରୁ ଅଣଛାତ୍ରଙ୍କୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା । କୁଳପତିଙ୍କ ନିର୍ଦ୍ଦେଶ ପରେ ହଷ୍ଟେଲ ଗୁଡିକରେ ନୋଟିସ୍ ମଧ୍ୟ ଲଗାଯାଇଥିଲା । ଅଣଛାତ୍ରମାନଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ଚେତାବନୀ ଦିଆଯାଇଥିଲା । ଆଉ ସେହି ନୋଟିସ ଅନୁସାରେ ହଷ୍ଟେଲରେ ଯାଞ୍ଚ କରିବା ପାଇଁ ପହଁଚିଥିଲେ ଟିମ୍ । ଯାହାକୁ ବିରୋଧ କରିଥିଲେ ହଷ୍ଟେଲର ଅନ୍ତେବାସୀ ।

ବାଣୀବିହାର ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରାଯିବାକୁ କର୍ତ୍ତୃପକ୍ଷଙ୍କ ଉଦ୍ୟମ ପରେ ପୁଣି ଥରେ ବିତର୍କ ମୁଣ୍ଡ ଟେକିଛି । ଛାତ୍ର କିଏ ଆଉ ଅଣଛାତ୍ର କିଏ? ଆଉ କ୍ୟାମ୍ପସରେ ଯେଉଁ ଅଶାନ୍ତି ହେଉଛି ସେଥିପାଇଁ ଦାୟୀ କିଏ? ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ହଟାଇବା ବିବାଦ ନୂଆ ନୁହେଁ । ବର୍ଷ ବର୍ଷ ଧରି ଏହି ବିବାଦ ରହି ଆସିଛି । ହେଲେ, ସମାଧାନର ବାଟ ବାହାରି ପାରିନି । ଯାହା ଏକ ବଡ ବିତର୍କର ବିଷୟ । କିନ୍ତୁ ଅଣଛାତ୍ରଙ୍କର ହଷ୍ଟେଲରେ ରହିବାର କୌଣସି ଅଧିକାର ନାହିଁ । ତେବେ ଯେଉଁମାନେ ଅଶାନ୍ତି ସୃଷ୍ଟି କରୁଛନ୍ତି, ଛାତ୍ର ହୁଅନ୍ତୁ ବା ଅଣଛାତ୍ର ସେମାନଙ୍କୁ ଗିରଫ କରାଯିବା ଉଚିତ୍ ।