ମଞ୍ଚରେ ବସିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ଓ ସଚିବ । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପିଏମଶ୍ରୀ ସ୍କୁଲ ପାଇଁ ଏମଓୟୁ କରୁନି ରାଜ୍ୟ

176

କନକ ବ୍ୟୁରୋ: ମଞ୍ଚରେ ଥିଲେ ମନ୍ତ୍ରୀ, ଟାର୍ଗେଟ କଲେ ଧର୍ମେନ୍ଦ୍ର । ରାଜ୍ୟ ଓ କେନ୍ଦ୍ରର ମିଳିତ କର୍ମଶାଳାରେ ପୁଣି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍ କରିଛନ୍ତି । ଗୋଟିଏ ମଞ୍ଚରେ ପଞ୍ଚାୟତିରାଜ ମନ୍ତ୍ରୀ ଓ ସଚିବ ବସିଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ପିଏମଶ୍ରୀ ସ୍କୁଲ ପାଇଁ ଏମଓୟୁ କରୁନି ରାଜ୍ୟ ।

  • ମନ୍ତ୍ରୀ, ସଚିବଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
  • ରାଜ୍ୟ ସରକାରଙ୍କୁ ପୁଣି ଘେରିଲେ କେନ୍ଦ୍ରମନ୍ତ୍ରୀ

ଅବସର ଥିଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହେଉଥିବା କର୍ମଶାଳା । ଶିଶୁ ଓ ମହିଳାଙ୍କ ପାଇଁ ପଞ୍ଚାୟତିରାଜ ବିଭାଗର ଭୂମିକା ସଂପର୍କୀତ ଜାତୀୟ କର୍ମଶାଳାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମଞ୍ଚରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦାପ ଅମାତ ଓ ସଚିବ ସୁଶୀଲ ଲୋହାନୀ ବସିଥିବାବେଳେ ସେମାନଙ୍କ ନାଁନେଇ ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଦିଲ୍ଲୀରୁ ଆସୁଥିବା ଟଙ୍କା ପଞ୍ଚାୟତିରାଜ ବିଭାଗ ଖର୍ଚ୍ଚ ନକରିପାରିବା ପ୍ରସଙ୍ଗରେ ପ୍ରଥମେ ଟାର୍ଗେଟ କରିଥିଲେ । ସରପଞ୍ଚ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପାଣ୍ଠିରେ ହାତ ନମାରିବାକୁ ତାଗିଦ କରିଥିଲେ । ହେଲେ ଏହାର ଜବାବ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସବୁକିଛି ନିୟମ ଅନୁସାରେ କରାଯାଉଥିବା ସଫେଇ ରଖିଛନ୍ତି ପ୍ରଦୀପ ଅମାତ ।

ମହିଳାଙ୍କ ବିକାଶ ପାଇଁ ମିଶନ ଶକ୍ତି ଭଳି ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ଗାଁର ମହିଳାମାନେ କେବଳ ଆଚର, ବଡି, ପାମ୍ପଡ ପ୍ରସ୍ତୁତିରେ ସୀମିତ ନରହି ସେମାନଙ୍କ ଉତ୍ପାଦର ବିକ୍ରି ପାଇଁ ଉପଯୁକ୍ତ ବଜାର ଯୋଗାଇ ଦେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଓଡିଶାରେ ନବଜାତ ଶିଶୁଙ୍କ ଅବସ୍ଥା ଭଲନାହିଁ । ୨୦୨୦ ଜାତୀୟ ସ୍ୱାସ୍ଥ୍ୟ ରିପୋର୍ଟ ଆଧାରରେ ରାଜ୍ୟର ଶିଶୁମାନଙ୍କ ରକ୍ତହୀନତା, ଅପପୁଷ୍ଟି ଓ ଉଚ୍ଚତା କମ୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଓଡିଶାରେ ପ୍ରାୟ ୮ଶହ ପିଏମଶ୍ରୀ ସ୍କୁଲ ଖୋଲିବାକୁ ନିଷ୍ପତି ହୋଇଛି ଏବଂ ଏଥିପାଇଁ ୧୬ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ହେଲେ ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ ରୋଚକ କଥା ହେଉଛି, ଧର୍ମେନ୍ଦ୍ରଙ୍କ ଅଭିଭାଷଣ ସରିବା କ୍ଷଣି ପଡିଥିଲା ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା । ଆଉ ଏହାରି ଭିତରେ ହସଖୁସି ମିଜାଜରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ମଞ୍ଚରୁ ଡାକି ନେଇଯାଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।