ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଗଲା ବିଜୁଳି । ଜେନେରେଟର କାହିଁ ବୋଲି ପଚାରିଲେ ମନ୍ତ୍ରୀ । ବିଦ୍ୟୁତ୍ କାଟ ବିରୋଧରେ ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ ।

215

କନକ ବ୍ୟୁରୋ: ରାଜ୍ୟରେ ପାୱାରକଟ୍ ହେଉଥିବା କଥାକୁ ମାନୁ ନଥିବା, ଶକ୍ତି ମନ୍ତ୍ରୀଙ୍କ ସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବାହାନଗାରେ ଯେତେବେଳେ ମନ୍ତ୍ରୀ ମଞ୍ଚରେ ବସିଥିଲେ, ସେତେବେଳେ କଟି ଯାଇଥିଲା ବିଜୁଳି । ଆଉ ଏହି ସମୟରେ ଜେନେରେଟର ଖୋଜିଥିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ଏଭଳି ପ୍ରଶ୍ନ ସାରା ରାଜ୍ୟରେ ଆଲୋଚନାର ବିଷୟ ହୋଇଛି ।

  • ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଗଲା ବିଜୁଳି
  • ପ୍ରଶ୍ନ କରିବାରୁ ମୁହଁ ବୁଲାଇ ପଳେଇଲେ

ରାଜ୍ୟରେ ଅଘୋଷିତ ପାୱାର କଟ୍ ହେଉଥିବା ଖବରକୁ ଖଣ୍ଡନ କରି ଆସୁଥିବା ଶକ୍ତିମନ୍ତ୍ରୀ ପ୍ରତାପ ଦେବ ନିଜେ ବିଜୁଳି କାଟର ସମ୍ମୁଖୀନ ହୋଇଛନ୍ତି । ବାଲେଶ୍ୱର ବାହାନଗାରେ ଚାଲିଥିବା ଶ୍ରଦ୍ଧାଞ୍ଜଳି ସଭାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଯୋଗ ଦେଇଥିବାବେଳେ କଟି ଯାଇଥିଲା ବିଜୁଳି । ଏପରିକି ଏକ ମଞ୍ଚ ଉପରେ ମନ୍ତ୍ରୀ ଜଣଙ୍କୁ ଜେନେରେଟର ଅଛି କି ନାହିଁ ପଚାରୁଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀଙ୍କ ଏହି କଥା ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ତେବେ ପାୱାରକଟ୍ ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ମୁହଁ ବୁଲାଇ, ଚାଲିଯାଇଥିଲେ ମନ୍ତ୍ରୀ ପ୍ରତାପ ଦେବ ।

କେବଳ ମନ୍ତ୍ରୀଙ୍କ ସଭାରେ ନୁହେଁ, ତାଙ୍କ ନିଜ ନିର୍ବାଚନମଣ୍ଡଳୀର ଭରିଗଦା ପଞ୍ଚାୟତର ବିଭିନ୍ନ ଗାଁରେ ୬ଦିନ ହେଲା ବିଜୁଳି ନଥିବା ଲୋକେ ଅଭିଯୋଗ କରିଛନ୍ତି । ଅସହ୍ୟ ଗୁଳିଗୁଳି ଓ ତାତିରୁ ରକ୍ଷା ପାଇବା ଲୋକେ ଡହଳ ବିକଳ ହେଉଛନ୍ତି ।

  • ବିଦ୍ୟୁତ୍ କାଟ ବିରୋଧରେ ବିକ୍ଷୋଭ
  • ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ

ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ଅଘୋଷିତ ବିଦ୍ୟୁତ୍ କାଟକୁ ବିରୋଧ କରି ହାତରେ ବିଂଚଣା ଓ ଲଣ୍ଠନ ଧରି ବିକ୍ଷୋଭ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ତୁରନ୍ତ ସମସ୍ୟାର ସମାଧାନ ନକଲେ, ଆଗାମୀ ଦିନରେ ରାଜରାସ୍ତାରେ ମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

ତେବେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପାୱାରକଟକୁ ନେଇ ଶକ୍ତିମନ୍ତ୍ରୀ ଓ ସରକାରଙ୍କୁ ସମାଲୋଚନା କରିଛନ୍ତି । ପାୱାରକଟକୁ ନେଇ ଜନ ଅସନ୍ତୋଷ ବଢ଼ି ଚାଲିଥିବାବେଳେ, ମୁଖ୍ୟ ଶାସନ ସଚିବ ସମୀକ୍ଷା ବୈଠକ କରିଛନ୍ତି । ଯେଉଁଠି ବିଜୁଳି ବିଭ୍ରାଟ ହେଉଛି ତାର କେମିିତି ତୁରନ୍ତ ସମାଧାନ ହୋଇପାରିବ, କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇପାରିବ, ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।