କ୍ରିକେଟ ପଡ଼ିଆରେ କୂଟନୀତି: ଦ୍ୱିପାକ୍ଷିକ ସର୍ମ୍ପକକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଖେଳିଲେ ଫ୍ରଣ୍ଟଫୁଟ 

151

କନକ ବ୍ୟୁରୋ: କ୍ରିକେଟ ପଡ଼ିଆରେ କୂଟନୀତି । ଅଷ୍ଟ୍ରେଲିଆ ସହ ଦ୍ୱିପାକ୍ଷିକ ସର୍ମ୍ପକକୁ ମଜବୁତ କରିବା ପାଇଁ ଫ୍ରଂଟ୍ଫୁଟକୁ ଆସି ଖେଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଲଫୀ ଉଠାଇଲେ । ଖେଳାଳିଙ୍କ ସହ ହାତ ମିଳାଇଲେ । ଷ୍ଟାଡିୟମ ପରିକ୍ରମା କରି ଦର୍ଶକଙ୍କ ଅଭିବାଦନ ମଧ୍ୟ ସ୍ୱୀକାର କଲେ । ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ କୁହାଯାଉଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ । ଯେଉଁଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ ଏକାଠି ହେବା ଚର୍ଚ୍ଚାର ଶୀର୍ଷକ ପାଲଟିଛି । ଅବସର ଥିଲା ଭାରତ ଓ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ । ମ୍ୟାଚର ପ୍ରଥମ ଦିନରେ ଷ୍ଟାଡିୟମ ପହଂଚିଥିଲେ ମୋଦୀ ଓ ତାଙ୍କ ସହ ଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ।

ଦୁଇ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଷ୍ଟାଡିୟମରେ ଭରି ଦେଇଥିଲା ନୂଆ ଜୋଶ୍ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟର ଟସ୍ ପଡ଼ିବାର ଘଂଟାଏ ପୂର୍ବରୁ ଷ୍ଟାଡିୟମରେ ପହଂଚିଥିଲେ ମୋଦୀ ଓ ଅଲବାନିଜ୍ । ସାଥୀରେ ଥିଲେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ବଘେଲ ଓ ବିସିସିଆଇର ପ୍ରାୟ ସବୁ ବଡ଼ ବଡ଼ ଅଧିକାରୀ । ବିପୁଳ ସ୍ୱାଗତ ସହ ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟାଡିୟମ ଭିତରକୁ ପାଛୋଟି ନିଆଯାଇଥିଲା । ଦୁଇ ଅତିଥିଙ୍କ ସାମ୍ନାରେ ପରିବେଷଣ କରାଯାଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ପିଏମ ମୋଦୀ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ଟେଷ୍ଟ କ୍ୟାପ୍ ପିନ୍ଧାଇ ଥିଲେ । ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ସମାନ ଢଙ୍ଗରେ ନିଜ ଦେଶର କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ କ୍ୟାପ୍ ପ୍ରଦାନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆନ୍ଥୋନୀ ଅଲବାନିଜ୍ ଭାରତ ଓ ଅଷ୍ଟ୍ରେଲିଆର ବନ୍ଧୁତାର ୭୫ ବର୍ଷ ପୂରଣ ହେବା ନେଇ ସେଲିବ୍ରେସନ୍ କରିଥିଲେ । ଦୁଇ ପ୍ରଧାନମନ୍ତ୍ରୀ ଗଲଫ କାର୍ ଉପରେ ନିର୍ମିତ ସ୍ୱତନ୍ତ୍ର ବଗିରେ ଛିଡ଼ା ହୋଇ ଷ୍ଟାଡିୟମ ପରିକ୍ରମା କରିଥିଲେ । କେବଳ ଏତିକି ନୁହେଁ, ମୋଦୀ ଓ ଅଲବାନିଜ ମଇଦାନ ଭିତରେ ନିଜ ନିଜ ଦେଶର ଖେଳାଳିଙ୍କ ସହ ହାତ ମିଳାଇଥିଲେ । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଂଗୀତ ପରିବେଷଣ ବେଳେ ମୋଦୀ ଖେଳାଳିଙ୍କ ସହ ପଡ଼ିଆରେ ଛିଡ଼ା ହୋଇ ସେମାନଙ୍କର ମନୋବଳ ବଢ଼ାଇଥିଲେ । ମ୍ୟାଚ୍ ବେଳେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଜବରଦସ୍ତ କେମିଷ୍ଟ୍ରୀ ଚର୍ଚ୍ଚା ସାଉଂଟିଥିଲା । ମୋଦୀ ଓ ଅଲବାନିଜ କିଛି ସମୟ ମ୍ୟାଚ୍ ଦେଖିଥିଲେ । ଗ୍ୟାଲେରୀରେ ବସି ଦୁହେଁ ପରସ୍ପରର ସେଲଫୀ ଉଠାଇବା ସହ ଚା’ର ଭରପୂର ମଜା ନେଇଥିଲେ । ଭାରତକୁ ବିଶ୍ୱ ଗୁରୁର ଆଖ୍ୟା ଦେଉଥିବା ପିଏମ ମୋଦୀ ନା କେବଳ ଅଷ୍ଟ୍ରେଲିଆ ସହିତ ସମ୍ପର୍କ ମଜଭୁତ୍ କରିଛନ୍ତି, ବରଂ କୁଟନୀତିରେ ମଧ୍ୟ ଛକା ମାରିଛନ୍ତି ।