ଆଜି ମଧ୍ୟାହ୍ନରେ ଛୁଇଁବ ପିକ୍; ପ୍ରଶାସନ ସତର୍କ, ନଦୀବନ୍ଧର ସୁରକ୍ଷା ପାଇଁ ନିର୍ଦ୍ଦେଶ : ବିଜୟ ମିଶ୍ର

163

କନକ ବ୍ୟୁରୋ : ସୁବର୍ଣ୍ଣରେଖାରେ ବନ୍ୟା ପରିସି୍ଥିତିକୁ ନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । କହିଛନ୍ତି ରାଜଘାଟ ଠାରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣନଦୀର ଜଳସ୍ତର ରହିଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିଲା ବେଳେ ଏବେ ୧୧.୯୦ ମିଟର ଜଳ ପ୍ରବାହିତ ହେଉଛି । ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ବନ୍ୟାପାଣି ପଶିଛି । ଆଜି ୧୨ଟା ବେଳକୁ ରାଜଘାଟ ଠାରେ ବନ୍ୟା ପାଣି ପିକକୁ ଛୁଇଁବ । ଝାଡଖଣ୍ଡ ସହ ସମନ୍ୱୟ ରକ୍ଷା କରି ଜଳ ସମ୍ପଦ ବିଭାଗ ବନ୍ୟା ଜଳ ପରିଚାଳନା କରୁଛି । ସେପଟେ ବୈତରଣୀରେ ଫ୍ଲଡ ପିକକୁ ଛୁଇଁବା ପରେ ଏବେ ଜଳସ୍ତର ଖସୁଛି । କିନ୍ତୁ ବୈତରଣୀରେ ଏବେ ବି ବିପଦ ସଙ୍କେତ ଉପରେ ରହିଛି ବନ୍ୟା ଜଳ ।

ବନ୍ୟା ମୁକାବିଲା ଲାଗି ୫ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଜଳେଶ୍ବର ବ୍ଲକ ପାଇଁ ଏଡିଏମ୍ ନିଲୁ ମହାପାତ୍ର, ଭୋଗରାଇ ବ୍ଲକ ପାଇଁ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ, ବାଲିଆପାଳ ବ୍ଲକ ପାଇଁ ପିଡି ରବୀନ୍ଦ୍ର କୁମାର ସାହୁ, ବସ୍ତା ବ୍ଲକ ପାଇଁ ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଓ ଏପିଡି ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଦାୟିତ୍ବ ଦିଆଯାଇଛି । ଏହି ଅଧିକାରୀମାନେ ବନ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟରେ ତହସିଲଦାର, ବିଡିଓ ଓ ଅନ୍ୟ ପଦାଧିକାରୀଙ୍କୁ ସହଯୋଗ କରିବେ ।

୪ଟି ବ୍ଲକରେ ୮୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବନ୍ୟାଞ୍ଚଳରେ ଥିବା ସମସ୍ତ ସ୍କୁଲଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି । ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଆଡଭାନ୍ସ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ରଖାଯାଇଛି । ଆରୁହାବୃତ୍ତି, ଖରିଦପିପଳ, ନାଚିନ୍ଦା, କୁମ୍ଭୀରଗଡ଼ି ଓ ଗବଗାଁରେ ଥିବା ସିଏଚସି ଓ ପିଏଚ୍‌ସିଗୁଡ଼ିକରେ ୨୦ ଜଣ ଡାକ୍ତର ଓ ଏକାଧିକ ସ୍ବାସ୍ଥ୍ୟକର୍ମୀ ପ୍ରସ୍ତୁତ ହୋଇ ରହିଛନ୍ତି। ସେହିପରି ବାଲିଆପାଳ ଓ ବସ୍ତା ବ୍ଲକରେ ୨ଟି ଲେଖା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍‌କୁ ମୁତୟନ କରାଯାଇଛି ।