ବୈତରଣୀରେ ଦ୍ୱିତୀୟ ବନ୍ୟା : ପ୍ରଭାବିତ ଯାଜପୁର ଓ କେନ୍ଦୁଝରର ୬ ବ୍ଲକ; ଜିଲ୍ଲାର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ

225

କନକ ବ୍ୟୁରୋ : ବୈତରଣୀରେ ଦ୍ୱିତୀୟ ବନ୍ୟା ଯୋଗୁଁ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୬ ବ୍ଲକ ପ୍ରଭାବିତ ହୋଇଛି । ଜିଲ୍ଲାର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବ୍ରାହ୍ମଣୀ ନଦୀ ନିକଟ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଜିଲ୍ଲାର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକ୍ ଏବଂ କେନ୍ଦୁଝର ଜିଲ୍ଲାର ହାଟିଡିହି, ଘସିପୁରା ଏବଂ ଆନନ୍ଦପୁରର କିଛି ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ ।

ଏହି ବ୍ଲକ୍‌ର ବ୍ରହ୍ମଚାରୀପାଟଣା ଘାଇ ମରାମତି ହୋଇଥିଲେ ହେଁ କାଣୀ ନଦୀର ଦ୍ବିତୀୟ ବନ୍ୟାରେ ଏହା ଭାସିଯାଇଛି । ରେଙ୍ଗାଲି ଫାଟକ ଖୋଲିବା ପାଇଁ ବିଭାଗୀୟ ଅଧିକାରୀ ଘୋଷଣା କରିଛନ୍ତି । କାଣୀ ନଦୀର ବ୍ରହ୍ମଚାରୀପାଟଣା ଘାଇ ପୁଣି ଖୋଲିଯିବାରୁ ଦଶରଥପୁର ବ୍ଲକ୍‌ର କସପା, ଦୁଦୁରାଅନ୍ତା, ମଲ୍ଲିକାପୁର, ଦତ୍ତପୁର, କଟିକଟା, ଜୟନ୍ତରା, ନିଜାମପୁର, ଶୁଶୁଆ, କୟାଁ, କମାରଡ଼ିହି, ଖନନଗର ପ୍ରଭୃତି ପଞ୍ଚାୟତ ଜଳମଗ୍ନ ହୋଇଯାଇଛି । ଏହାସହ ପୂର୍ବରୁ ମୁକୁଳା ପଡ଼ିଥିବା କଣ୍ଟପଡ଼ା ଘାଇ ଏବଂ କୟାଁ ନାଳ ଦେଇ ମଧ୍ୟ ବନ୍ୟାଜଳ ପ୍ରବେଶ କରୁଛି । ତେଣୁ ମୁକାବିଲା ପାଇଁ ଏଠାରେ ଏନ୍‌ଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି ।

ସେହିପରି କୋରେଇ ବ୍ଲକ୍ ବ‌ନ୍ଦାଳୋ ନିକଟରେ ବୈତରଣୀ ବନ୍ୟାଜଳ ପ୍ରବେଶ କରିବା ଫଳରେ ମୁକୁନ୍ଦପୁର, ବ‌ନ୍ଦାଳୋ, ମୂଳାପାଳ, ଅମୃତିଆ ପଞ୍ଚାୟତର ୧୧ଟି ଗ୍ରାମ ପାଣି ଘେରରେ ରହିଛି । ଏହି ଅଞ୍ଚଳର ୧୧ଟି ସ୍କୁଲକୁ ମଧ୍ୟ ୨ଦିନ ପାଇଁ ବନ୍ଦ କରିଦିଆଯାଇଛି । ଯାଜପୁର ବ୍ଲକ୍‌ର ପଣସା ପଞ୍ଚାୟତରେ ପ୍ରବେଶ କରିବା ଦ୍ବାରା ବିନ୍ଧାଣ, ପଣସା, ମୋଟରଙ୍ଗାପାଳ, ରଘୁନାଥପୁର, ବଳିଘାଇ, କୁଷିବାରଭାଗିଆ, ବେହେରାପାଟଣା ପାଣି ଘେରରେ ରହଛି । ବୈତରଣୀର ଅନ୍ୟତମ ଶାଖା ବୁଢ଼ାନଦୀ ସିମିଳିଆ ପଞ୍ଚାୟତରେ ପ୍ରବେଶ କରିଛି। ବୁଢାଘାଟ- ଷଠିଆଟିକିରି ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍‌ ୪ଟି ପଞ୍ଚାୟତ, ଆନନ୍ଦପୁର ବ୍ଲକ୍‌ର ପଞ୍ଚୁପଲ୍ଲୀ, ଘସିପୁରା ବ୍ଲକ୍‌ର ବାତୋ, ଶାଳଦେଇ ଓ ତରୁଆଁରେ ବନ୍ୟାପାଣି ପଶିଛି ।