ଭୟଙ୍କର ରୂପ ଧାରଣ କରିଛି ସୁବର୍ଣ୍ଣରେଖା : ବାଲେଶ୍ୱରର ତଳିଆ ଅଞ୍ଚଳରେ ପଶିଲାଣି ପାଣି; ୩୩୬ ଗାଁର ଦେଢ ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତର

ତଳି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନର ଉଦ୍ୟମ; ସଜାଗ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ

95

କନକ ବ୍ୟୁରୋ : ଝାରଖଣ୍ଡ ଗାଲୁଡିହ ଡ୍ୟାମରୁ ପାଣି ଆସିବା ପରେ ସୁବର୍ଣ୍ଣରେଖା ନଦୀ ଫୁଲିବାରେ ଲାଗିଛି । ଭୟଙ୍କର ରୂପ ଧାରଣ କରିଛି ସୁବର୍ଣ୍ଣରେଖା । ଝାଡଖଣ୍ଡ ଗାଲୁଡିହି ବ୍ୟାରେଜର ୧୮ଟି ଗେଟ୍ ଯୋଗେ ବନ୍ୟା ଜଳ ନିଷ୍କାସିତ ହେଉଥିବାରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ଫଳରେ ବାଲେଶ୍ୱର ଜିଲ୍ଲାର ବାଳିଆପାଳ ଓ ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିବା ଭୟ ରହିଛି । ବାଲିଆପାଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ସଂଧ୍ୟା ୬ଟା ସୁଦ୍ଧା ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରୁ ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରବଣ ୩୩୬ଟି ଗାଁର ପାଖାପାଖି ଦେଢ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

ତଳିଆ ଅଞ୍ଚଳର ଲୋକଙ୍କୁ ଆଣି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛି ଜିଲ୍ଲା ପ୍ରଶାସନ । ନଦୀବନ୍ଧର ଦୁର୍ବଳ ସ୍ଥାନଗୁଡିକ ଉପରେ ନଜର ରଖିଛନ୍ତି ସ୍ୱତନ୍ତ୍ର ଟିମ୍ । ବନ୍ୟା ମୁକାବିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଏମାନେ ବନ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ କାମରେ ତହସିଲଦାର, ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କୁ ସହଯୋଗ କରିବେ । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ୮୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବନ୍ୟାଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଗୁଡିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଭୋଗରାଇ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ଲଗାତାର ବଢିବାରେ ଲାଗିଛି । ଯାହାକୁ ନେଇ ନଈକୁଳିଆ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନଦୀବନ୍ଧ ଉପରେ ଆସି ଲୋକେ ଜଗି ରହିଛନ୍ତି । ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବା ବେଳେ ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ଜଳ ସଂପଦ ବିଭାଗର ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଜଗିରହିଛନ୍ତି । ଉତର ଓଡିଶାରେ ବଡ ଧରଣର ବନ୍ୟା ଆସିବା ନେଇ ଏସଆରସିଙ୍କ ସୂଚନା ପରେ ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଛି । ବନ୍ୟା ଯୋଗୁଁ ପ୍ରଭାବିତ ହେବା ଅଂଚଳରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ଅଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।