ନାବାଳିକାଙ୍କୁ ମାଡମାରିବା ଘଟଣାରେ ପାଟ୍ଟଶାଣୀ ଦମ୍ପତ୍ତି ଗିରଫ। ଉଭୟଙ୍କୁ କୋର୍ଟ ଚାଲାଣ କଲା ପୋଲିସ।

178

କନକ ବ୍ୟୁରୋ: ଜଣେ ନାବାଳିକା ଉପରେ ଏଭଳି ନିର୍ଯାତନା ହୋଇଛି ଯେ ସେ ଷ୍ଟ୍ରେଚରରୁ ଉଠିବା ବି ମୁସ୍କିଲ ହୋଇପଡିଛି । ଦେହସାରା ହୋଇଥିବା କ୍ଷତ ଚିହ୍ନ ଦେଖି ଡାକ୍ତର ବି ତାଜୁବ । କେବଳ ଏତିକି ନୁହେଁ ବାମ ଗୋଡ, ବାମ ହାତ, ବାମ ଓ ଡାହାଣ ଗୋଡର ବୁଢ଼ା ଆଙ୍ଗୁଠି ପାଖରେ ହାଡ଼ ଭାଙ୍ଗିଯାଇଛି । ଏବେ ସମ୍ପୂର୍ଣ୍ଣ ଟ୍ରମାରେ ଅଛନ୍ତି ଯୁବତୀ ଜଣକ । ତେବେ ଏହି ସ୍ଥିତିରୁ ବାହାରିବା ପାଇଁ ନାବାଳିକାଙ୍କୁ ସ୍ୱତନ୍ତ୍ର କାଉନସିଲର କାଉନସିଲିଂ କରୁଥିବା କହିଛି ଚାଇଲ୍ଡ ଲାଇନ । ଅନ୍ୟପଟେ ନାବାଳିକାଙ୍କୁ ନିର୍ଯାତନା ଦେଇଥିବା ପାଟଶାଣୀ ଦମ୍ପତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ବିଭୂତି ପାଟ୍ଟଶାଣୀ ଓ ସୋନାଲି ସାହାଣୀଙ୍କ ଘରେ ଶ୍ରମିକ ଭାବେ କାମ କରୁଥିଲେ ନାବାଳିକା ଜଣକ । ଜଣେ ବ୍ୟକ୍ତି ନାବାଳିକାଙ୍କ ମାଙ୍କୁ ମାସକୁ କିଛି ଟଙ୍କା ଦେଇ ବିଭୂତି ପାଟ୍ଟଶାଣୀଙ୍କ ଘରେ ରଖିଥିଲେ । କିନ୍ତୁ ନାବାଳିକାଙ୍କ ଉପରେ ନିର୍ଯାତନା ଏତେ ବଢିଗଲା ଯେ ସବୁ ଅସହ୍ୟ ହୋଇପଡିଲା । ଶେଷରେ ନାବାଳିକାଙ୍କୁ ମାଡମାରି ରାସ୍ତାରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣାରେ ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି ।

ନାବାଳିକାଙ୍କୁ ଶିଶୁ ଶ୍ରମିକ ଭାବେ ଲଗାଇଥିବା ଦଲାଲ ଏବେ ବି ଫେରାର ଅଛି । ତେବେ ଦମ୍ପତିଙ୍କ ନାବାଳକ ପୁଅ ବି ନାବାଳିକାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା । ଏହି ଅଭିଯୋଗ ଆଧାରରେ ପୋଲିସ ଅଧିକ ତଦନ୍ତ ଜାରିରଖିଛି ।