ଥାନା ଅଧିକାରୀଙ୍କୁ ହାଇକୋର୍ଟଙ୍କ ତାଗିଦ୍। ଏତଲା ପଞ୍ଜୀକରଣ ନକଲେ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ।

185

କନକ ବ୍ୟୁରୋ: ଓଡ଼ିଶା ପୋଲିସର ୱେବସାଇଟ୍ ଖୋଲିଲେ ଆପଣ ଦେଖିପାରିବେ ଲୋଗୋରେ ଲେଖା ହୋଇଛି ଆମେ ସେବା ଓ ସୁରକ୍ଷା ଯୋଗାଇଦେଉ । ଥାନାକୁ ଆସୁଥିବା ଲୋକଙ୍କ ସହ ପୁଲିସର ଉତ୍ତମ ବ୍ୟବହାର ଏବଂ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା, ଆଜି ମଧ୍ୟ ସାଧାରଣ ଲୋକଟିଏ ଥାନାକୁ ଯିବାକୁ ଡରୁଛି । ଲୋକ ଅଭିଯୋଗ ନେଇ ଥାନାକୁ ଯାଉଛନ୍ତି, କିନ୍ତୁ ଥାନାରେ ଏତଲା ପଞ୍ଜୀକରଣ କରାଯାଉନାହିଁ । ଏପରି ଅଭିଯୋଗ ବଢ଼ି ଚାଲିଥିବା ବେଳେ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଏତଲା ପଞ୍ଜୀକରଣ ନକଲେ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କାର୍ଯ୍ୟାନୁଷ୍ଠାନ ନେଇ ସୁନିଶ୍ଚିତ କରିବେ ଡିଜିପି । ଜବାବ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡିସେମ୍ବର ୨୧ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ଡିସେମ୍ବର ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।

ଅସ୍ତରଙ୍ଗ ଓ ପାଟକୁରା ଥାନାରେ ଏତଲା ପଞ୍ଜୀକରଣ କରାଯାଇ ନଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦୁଇ ଆବେଦନକାରୀ । ଦୁଇଟି ମାମଲାକୁ ହାଇକୋର୍ଟ ଅତି ଗୁରୁତର ସହ ନେଇଛନ୍ତି । ହାଇକୋର୍ଟ କହିଛନ୍ତି, ଥାନାକୁ ଆସୁଥିବା ବ୍ୟକ୍ତିଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ଲେଖିବା ପାଇଁ କାଗଜ, କଲମ ଓ ବସିବା ପାଇଁ ଚୌକି ଦେବା ଆବଶ୍ୟକ । ରାୟରେ ଉଲ୍ଲେଖ କରାଯାଇଥିବା ଆଦେଶ ପାଳନ ପାଇଁ ନିର୍ଦ୍ଦେଶନାମା ଜାରି କରିବେ ଡିଜିପି । ଅଭିଯୋଗ ଆସିଲେ ତାକୁ ଗ୍ରହଣ କରିବାକୁ ପୁଲିସ ଅଧିକାରୀ ବାଧ୍ୟ । ଥାନାକୁ ଆସୁଥିବା ବ୍ୟକ୍ତିଙ୍କ ପ୍ରତି ଭଲ ବ୍ୟବହାର କରିବା ସହ ଅଭିଯୋଗ ଲେଖିବା ପାଇଁ ବ୍ୟବସ୍ଥା କରାଯିବ । ବିନା ମୂଲ୍ୟରେ ଏତଲା କପି ଅଭିଯୋଗକାରୀଙ୍କୁ ସଂପୃକ୍ତ ପୁଲିସ ଅଧିକାରୀ ପ୍ରଦାନ କରିବେ ।