ବିବାଦରେ ଥିବା ‘ପଠାନ’କୁ ଝଟକା । ଆପତ୍ତି ପ୍ରକାଶ କଲେ ସେନସର ବୋର୍ଡ

138

କନକ ବ୍ୟୁରୋ : ରିଲିଜ ପୂର୍ବରୁ ଫିଲ୍ମ ପଠାନକୁ ବଡ ଝଟକା ମିଳିଛି । ଫିଲ୍ମର ବେସରମ୍ ଶୀର୍ଷକ ଗୀତକୁ ନେଇ ଅନେକ ତୁମ୍ବିତୋଫାନ ହୋଇଥିଲା । ଆଉ ଯେଉଁ ଗୀତ ଓ ଦୃଶ୍ୟକୁ ନେଇ ତେଜିଥିଲା ବିବାଦ, ସେହି ଦୃଶ୍ୟକୁ ହଟାଇବାକୁ ଏବେ ପରାମର୍ଶ ଦେଇଛନ୍ତି ସେନସର ବୋର୍ଡ । ସେନସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ ଯୋଶୀଙ୍କ ସୂଚନା ଅନୁସାରେ ନିକଟରେ ଫିଲ୍ମଟିକୁ ପ୍ରମାଣପତ୍ର ପାଇଁ, ସିବିଏଫସି ଯାଂଚ କମିଟିକୁ ପଠାଯାଇଥିଲା । ସିବିଏଫସି ନିର୍ଦ୍ଦେଶାବଳୀ ଅନୁଯାୟୀ ଉପଯୁକ୍ତ ଓ ପୁଙ୍ଖାନୁପୁଙ୍ଖ ଫିଲ୍ମକୁ ଅନୁଧ୍ୟାନ କରାଯାଇଥିଲା । ଏହାପରେ, ନିର୍ମାତାଙ୍କୁ ଫିଲ୍ମ, ଓ ଗୀତରେ କିଛି ପରିବର୍ତନ କରିବା ପାଇଁ ପରାମର୍ଶ ଦେଇଛି ସେନସର ବୋର୍ଡ । ସେନସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଫିଲ୍ମ ନିର୍ମାତାଙ୍କୁ ପରାମର୍ଶ ଦେବା ପରେ ‘ବେସରମ ରଙ୍ଗ’ର ବିବାଦୀୟ ଦୃଶ୍ୟ ବଦଳାଯିବ ଏବଂ ଏଥିରେ ପରିବର୍ତନ କରିବା ପରେ ଫିଲ୍ମର ଏକ କପିକୁ ଫିଲ୍ମ ପ୍ରଯୋଜନା କମ୍ପାନୀ ୟଶରାଜ ଫିଲ୍ମସ୍ କୁ ଦାଖଲ କରିବା ପାଇଁ ସେନସର ବୋର୍ଡ କହିଛି ।

ତେବେ ଫିଲ୍ମର ଗୀତଟି ରିଲିଜ୍ ପରେ ଦେଶର ବିଭିନ୍ନ ହିନ୍ଦୁ ସଂଗଠନ, ନେତା ଏହାକୁ ବିରୋଧ କରିଥିଲେ । ଗୀତରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ପୋଷାକକୁ ସହଜରେ ଗ୍ରହଣ କରିପାରିନଥିଲେ ଅନେକ ଏବଂ ଏହାସହିତ ସନାତନ ଧର୍ମକୁ ଅପମାନିତ , ହିନ୍ଦୁ ଭାବାବେଗକୁ କୁଠାରଘାତ କରାଯାଇଛି ବୋଲି ଅଭିଯୋଗ ଆସିଥିଲା ।

ବିବାଦୀୟ ଗୀତକୁ ନେଇ ଅଭିନେତା ଶାହରୁଖ ଓ ଦୀପିକାଙ୍କ ବିରୋଧରେ ଏଫଆଇଆର କରାଯାଇଥିଲା । ଏମିତିକି ଫିଲ୍ମକୁ ନେଇ ବୟକଟ୍ ଅନ୍ ସୋସିଆଲ ମିଡିଆରେ ଟ୍ରେଣ୍ଡିଙ୍ଗ କରିଥିଲା । ଫିଲ୍ମ କୁ ବ୍ୟାନ କରିବା ପାଇଁ ମଧ୍ୟ ଦେଶବ୍ୟାପି ଦାବି ଉଠିଥିଲା । ସବୁଠାରୁ ବଡ କଥା ହେଲା ଶାହାରୁଖଙ୍କୁ ଜୀବନରୁ ମାରିଦେବା ନେଇ ଧମକ ମଧ୍ୟ ଆସିଥିଲା । ଅନ୍ୟପଟେ ଡିସେମ୍ବର ୧୨ ରେ ରିଲିଜ୍ ହୋଇଥିବା ପଠାନ୍ ର ବିବାଦୀୟ ଗୀତକୁ ବର୍ତମାନ ସୁଦ୍ଧା ୧୪ କୋଟିରୁ ଅଧିକ ଦର୍ଶକ ଦେଖିସାରିଲେଣି ।