କୋଭିଡ କଟକଣା ହଟାଇବା ପରେ ଚୀନରେ କରୋନା ତାଣ୍ଡବ । କୋଭିଡ ରିପୋର୍ଟ ଜାରି କରିବା ଉପରେ ରୋକ ଲଗାଇଲା ଚୀନର ଜାତୀୟ ସ୍ୱାସ୍ଥ୍ୟମିଶନ

99

କନକ ବ୍ୟୁରୋ : ଚୀନରେ କରୋନା ବିସ୍ଫୋରଣ ଥମିବାର ନାଁ ନେଉନାହିଁ । ଯେବେଠାରୁ ଚୀନ୍ ସରକାର ଦେଶରେ କୋଭିଡ୍-୧୯ କଟକଣା ହଟାଇଛନ୍ତି, ସେବେଠାରୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ଭିତରେ ବିଶେଷଜ୍ଞମାନେ କହିଛନ୍ତି, ଚୀନ୍ ସରକାର କରୋନା କଟକଣାରେ ଯେଉଁ କୋହଳ କରିଛନ୍ତି, ତାହା ଆଗାମୀ ଦିନରେ ନୂଆ ଭାରିଆଂଟ ସୃଷ୍ଟି କରିପାରେ । ନୂଆ ଭାରିଆଂଟ ଅଧିକ ଘାତକ ହୋଇପାରେ ବୋଲି ମଧ୍ୟ ବିଶେଷଜ୍ଞ କହିଛନ୍ତି ।

ଚୀନ୍ ସରକାର ଘୋଷଣା କରିଛନ୍ତି ଯେ ଆସନ୍ତା ଜାନୁଆରୀ ୮ ତାରିଖରୁ ଦେଶକୁ ଆସୁଥିବା ଲୋକଙ୍କୁ କ୍ୱାରେଂଟାଇନ୍ ହେବାକୁ ପଡ଼ିବ ନାହିଁ । ସେପଟେ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ ଦୈନିକ କୋଭିଡ୍ ରୋଗୀଙ୍କ ସଂଖ୍ୟା ଜାରି କରିବା ଉପରେ ରୋକ ଲଗାଇଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଚୀନରେ ସଂକ୍ରମିତ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇଛି । ଏହାକୁ ନେଇ ସାଧାରଣ ଲୋକଙ୍କ ସହ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ଦୁନିଆର ବଡ଼ ଅଂଶକୁ ସଂକ୍ରମିତ କରିବାର କ୍ଷମତା ରଖିଛି । ବିଶେଷକରି ଯେଉଁମାନଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି ଏବଂ ଯେଉଁମାନେ କରୋନା ଭ୍ୟାକସିନ୍ ନେଇନାହାନ୍ତି, ସେମାନଙ୍କୁ ଏହା ଅଧିକ ସଂକ୍ରମିତ କରିପାରେ ।

ଜେନେଭା ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ଲୋବାଲ ହେଲ୍ଥ ନିର୍ଦ୍ଦେଶକ ଆନ୍ଥୋନୀ ଫ୍ଲାହୋଲ୍ଟ କହିଛନ୍ତି, ପ୍ରତିଟି ନୂଆ ସଂକ୍ରମଣ କୋଭିଡ୍-୧୯ର ନୂଆ ଭାରିଆଂଟ ସୃଷ୍ଟି କରିପାରେ । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୪୦ କୋଟିରୁ ଅଧିକ ଲୋକେ ସଂକ୍ରମିତ ହୋଇସାରିଛନ୍ତି । ତେଣୁ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ କରୋନାର ନୂଆ ଭାରିଆଂଟ ସୃଷ୍ଟି ହେବାର ବିପଦ ରହିଥିବା ସେ କହିଛନ୍ତି । ସେହିପରି ଫ୍ରାନ୍ସର ଲିୟନ ୟୁନିଭର୍ସିଟିର ଭାଇରୋଲୋଜି ପ୍ରଫେସର ବ୍ରୁନୋ ଲେନା କହିଛନ୍ତି ଯେ ଚୀନ ଏହି ଭାଇରସର ଉତ୍ପତି ସ୍ଥଳ ହୋଇପାରେ ।