କୋଭିଡ୍ କଟକଣା: କେବଳ ୧୦୦ ଲୋକଙ୍କୁ ନେଇ ହୋଇପାରିବ ରାଜନୈତିକ କାର୍ଯ୍ୟକ୍ରମ । ରାଲି, ଧାରଣା ଓ ଷ୍ଟ୍ରାଇକରେ ଯୋଗଦେଇପାରିବେନି ୫ରୁ ଅଧିକ ଲୋକ ।

164

କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ଦେଖି ନିୟମକୁ ଆହୁରି କଡାକଡି କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ରାତି ୯ଟାରୁ ଲାଗୁ କରାଯାଇଥିବାବେଳେ, କେବଳ ୧୦୦ ଲୋକଙ୍କୁ ନେଇ ହେବ ବିବାହ ଏବଂ ବ୍ରତଘର । ଏନେଇ ଏସଆରସି ପ୍ରଦୀପ ଜେନା ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ରାଜନୈତିକ ସଭା, ସାଂସ୍କୃତିକ ସଭା ଏବଂ ରାଜନୈତିକ ରାଲି, ଧାରଣାକୁ ନେଇ ମଧ୍ୟ ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର ।

ଏହି ଗାଇଡଲାଇନରେ ରାଜ୍ୟରେ ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି  କେବଳ ୧୦୦ ଲୋକଙ୍କୁ ନେଇ ରାଜନୈତିକ, କ୍ରୀଡା ଏବଂ ଏକାଡେମିକ୍ କାର୍ଯ୍ୟକ୍ରମ ହେବ । ତେବେ ହଲରେ କାର୍ଯ୍ୟକ୍ରମ ହେଉଥିଲେ ଏହା ସେହି ହଲ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ । ତା ସହିତ ଏହି କାର୍ଯ୍ୟକ୍ରମରେ କିଭଳି କୋଭିଡ୍ ଗାଇଡଲାଇନ୍ କଡାକଡି ଭାବେ ପାଳନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି ।

ଅନ୍ୟପଟେ ରାଜ୍ୟରେ ସମସ୍ତ ପ୍ରକାର ରାଲି, ପ୍ରୋସେସନ୍, ଧାରଣା,ଷ୍ଟ୍ରାଇକ୍ ଉପରେ ମଧ୍ୟ ସରକାର କଟକଣା ଲାଗୁ କରିଛନ୍ତି । କେବଳ ୫ ଜଣ ଲୋକଙ୍କୁ ନେଇ ଏହି ଧାରଣା, ରାଲି କିମ୍ବା ଷ୍ଟ୍ରାଇକ୍ ହୋଇପାରିବ । ତେବେ ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟରେ ସମସ୍ତ ପ୍ରକାର ମେଳା ଓ ମହୋତ୍ସବ ବନ୍ଦ ରହିବ । ସେହିପରି ରାଜ୍ୟରେ ସମସ୍ତ ପ୍ରକାର ପିକନିକ୍ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହଲ୍, ହୋଟେଲରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବନି ବୋଲି ଏସଆରସି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।