ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ବୟାନ ରଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, “କୌଣସି ଅଧିକାରୀଙ୍କୁ ନିଲମ୍ବିତ କରାଯିବ ନାହିଁ“

1,775

କନକ ବ୍ୟୁରୋ : ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଢିଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ବୟାନ ରଖିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି “ପ୍ରଧାନମନ୍ତ୍ରୀ ଫେରିଯିବାକୁ ନେଇ ମୁଁ ଦୁଖିତ, ସୁରକ୍ଷା ମାମଲାରେ କୌଣସି ଢିଲା ହୋଇନାହିଁ, ପ୍ରଧାନମନ୍ତ୍ରୀଙ୍କ ଗାଡିରେ ସେହିଠାରେ ଅଟକାଇ ଦିଆଯାଇଥିଲା ଯେଉଁଠାରେ କୃଷକମାନେ ଆନ୍ଦୋଳନରେ ବସିଥିଲେ । ପ୍ରଦର୍ଶନକାରୀଙ୍କୁ ଉଠାଇ ଦେବାକୁ ୧୦-୨୦ ମିନିଟ ସମୟ ଲାଗିଲା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ସୂଚନା ଦିଆଯାଇଥିଲା କି ସେ ଆସୁ୍ଥିବା ରାସ୍ତାରେ କୃଷକମାନେ ଧାରଣାରେ ବସିଛନ୍ତି ତେଣୁ ତାଙ୍କୁ ଅଲଗା ରାସ୍ତାରେ ଆସିବା ପାଇଁ ପରାମର୍ଶ ଦିଆଯାଇଥିଲା ହେଲେ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ । ଯଦି ସୁରକ୍ଷା ମାମଲାରେ କୌଣସି ତ୍ରୁଟିଥିବ ତେବେ ତାହା ଉପରେ ଯାଂଚ କରାଯିବ ଓ ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ବିପଦ ନାହିଁ”

ଚନ୍ନି ଆହୁରି କହିଛନ୍ତି କି କୃଷକମାନେ ଗତ ୧ ବର୍ଷରୁ ଅଧିକ ସମୟ ଧରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି ତେଣୁ ଆମ ସରକାର କୃଷକଙ୍କ ଉପରେ ଲାଠିଚାର୍ଜ କରିପାରିବ ନାହିଁ । ଏନେଇ ସେ ଗତକାଲି ରାତିରେ କୃଷକଙ୍କ ସହ ଆଲୋଚନା କରିଥିବା କଥା ମଧ୍ୟ ଚନ୍ନି କହିଛନ୍ତି । ଆଲୋଚନା ପରେ ସେମାନେ ତାଙ୍କର ଆନ୍ଦୋଳନ ସମାପ୍ତ କରିଦେଇଥିଲେ । ହେଲେ ଅଚାନକ ଆଜି ଫିରୋଜପୁର ଜିଲ୍ଲାର କିଛି ଆନ୍ଦୋଳନକାରୀ ଏକତ୍ରୀତ ହୋଇ ଧାରଣାରେ ବସିଥିଲେ । ସେ ସ୍ପଷ୍ଟ କରିଛନ୍ତି କି ସୁରକ୍ଷା ଢିଲା କାରଣରୁ ଆଜି ପରେ କୌଣସି ଅଧିକାରୀଙ୍କୁ ନିଲମ୍ବିତ କରାଯିବ ନାହିଁ ।