ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ମଲ, ଦୋକାନବଜାର । ଭିଡ ହେଲେ ୭ ଦିନ ହେବ ସିଲ, ଜାଣନ୍ତୁ କେଉଁମାନଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି?

241

କନକ ବ୍ୟୁରୋ : ଓମିକ୍ରନ ଭୟ ଭିତରେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଇ ଥିଲେ ମଧ୍ୟ ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି । ଖାସକରି ଦୋକାନ, ବଜାର, ମଲରେ ଅଧିକ ଭିଡ ଜମୁଥିବାରୁ ଏଠାରେ କଟକଣାକୁ କଡାକଡି କରିବାକୁ କୁହାଯାଇଛି । ସମସ୍ତ ଦୋକାନ ବଜାର ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହି ପାରିବ । ସପିଂ ମଲ ଓ ମାର୍କେଟ କମ୍ଲେକ୍ସ ପାଇଁ ମଧ୍ୟ ସମାନ ନିୟମ ରହିଛି । ତେବେ ମଲ ଭିତରେ ଫୁଡ୍ କୋର୍ଟ ଖୋଲାରହିବ କିନ୍ତୁ ଏଠାରେ ବସି କେହି ଖାଇପାରିବେ ନାହିଁ । କେବଳ ପାର୍ସଲ ପାଇଁ ଅନୁମତି ମିଳିଛି । ତେବେ ମଲକୁ ପ୍ରବେଶ ପୂର୍ବରୁ ଲୋକଙ୍କର ସ୍କ୍ରିନିଂ ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ମଲ ଭିତରେ କୌଣସି ମତେ ଭିଡ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସବୁଠୁ ବଡ କଥା ହେଲା ମଲ,ମାର୍କେଟ କମ୍ଲେକ୍ସ ଭିତରକୁ ଯେଉଁମାନେ ପ୍ରବେଶ କରିବେ ସେମାନେ ଟିକାର ୨ଟି ଡୋଜ ନେଇଥିବା ଆବଶ୍ୟକ । ଏହାବାଦ୍ ୧୦୦ ସ୍କୋୟାର ଫୁଟ୍ ପରିସରରେ ୪ ଜଣରୁ ଅଧିକ ଜଣ ଏକାଠି ଛିଡା ହୋଇପାରିବେନି । ହଲ, ମଲ, ବଜାରଘାଟ, ଅଡିଟୋରିୟମ ଭଳି ସ୍ଥାନରେ ଭିଡ ହେବନି । ମଲ,ଦୋକାନ ସାମ୍ନାରେ ଓ ଭିତରେ ଯେପରି ଭିଡ ନହେବ ସେଥିପ୍ରତି ମାଲିକମାନେ ଦୃଷ୍ଟି ଦେବେ । ଯଦି ଏହି ସବୁ ସ୍ଥାନରେ କରୋନା ନିୟମର ଉଲ୍ଲଂଘନ ହୁଏ ତେବେ ୭ ଦିନ ସିଲ କରାଯିବ ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।