ଦିନେ ବାହାର ରାଜ୍ୟରେ ରହି ଦାଦନ ଖଟୁଥିଲେ: ଏବେ ବାଇଗଣ ଚାଷ କରି ଲାଭବାନ

86

କନକ ବ୍ୟୁରୋ: ଜୈବୀକ ପଦ୍ଧତିରେ ବାଇଗଣ ଚାଷ କରି ସଫଳତା ହାସଲ କରିଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗୋପାଳପୁର ଗାଁର ଯୁବ ଚାଷୀ ମନ୍ମଥ ନାୟକ । ଏହି ଚାଷରୁ ତାଙ୍କୁ ବାର୍ଷିକ ୪ରୁ ୫ଲକ୍ଷ ଟଙ୍କାର ରୋଜଗାର ମିଳିପାରୁଛି । ଏହି ଚାଷ ଏବେ ସ୍ଥାନୀୟ ଅଂଚଳର ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି ।

ଦାଦନ ଶ୍ରମିକରୁ ବାଇଗଣ ଚାଷୀ । ଦିନେ ରୋଜଗାର କରିବା ପାଇଁ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଉଥିଲେ । କରୋନା ମହାମାରୀ ଯୋଗୁଁ ଗାଁକୁ ଫେରି ଚାଷ କାମକୁ ଆପଣାଇଥିଲେ ଭୋଗରାଇ ବ୍ଲକ ଗୋପାଳପୁର ଗାଁର ଯୁବ ଚାଷୀ ମନ୍ମଥ ନାୟକ । ୧୦୦ ଡିସିମିଲ ଜମିରେ ସେ ବାଇଗଣ ଚାଷ କରିଛନ୍ତି । ସମ୍ପୂର୍ଣ୍ଣ ଜୈବୀକ ପ୍ରଣାଳୀ ଚାଷ କରି ସେ ଭଲ ଅମଳ କରୁଛନ୍ତି । ଅନେକ ଚାଷୀ ଚାଷ କାମରୁ ମୁହଁ ଫେରାଉଥିବା ବେଳେ ମନ୍ମଥଙ୍କ ଚାଷ କାମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ୩ ବର୍ଷ ହେଲା ସେ ଏହି ଚାଷ କରୁଛନ୍ତି । ଏକର ପିଛା ୪୦ରୁ ୫୦ ହଜାର ଟଙ୍କା ବିନିଯୋଗ କରି ବାର୍ଷିକ ୩ରୁ ୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଉତ୍ପାଦିତ ହେଉଥିବା ପରିବା ଦେଉଳା, ଚନ୍ଦନେଶ୍ୱର, ଭୋଗରାଇ ଅଂଚଳରେ ବିକ୍ରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି ।

ଚାଷ କାମରେ ମନ୍ମଥଙ୍କୁ ତାଙ୍କ ପରିବାର ଲୋକ ପୂର୍ଣ୍ଣ ସହଯୋଗ କରୁଛନ୍ତି । ବାଇଗଣ ତୋଳିବା, ଗଛର ଯତ୍ନ ନେବା ଓ ଜମିରୁ ଘାସ ବାଛିବା ଭଳି କାମରେ ତାଙ୍କୁ ତାଙ୍କ ସ୍ତ୍ରୀ ସହାୟତା କରନ୍ତି । ସ୍ତ୍ରୀ ଶୁଶିଳାଙ୍କ କହିବା ଅୁନସାରେ ଘର କାମ ସାରିବା ପରେ ସ୍ୱାମୀଙ୍କ ସହ ମିଶି ସେ ଏହି କାମ କରନ୍ତି । ଯାହା ତାଙ୍କୁ ବେଶ ଖୁସି ଦେଇଥାଏ ।

ଦିନେ ବାହାର ରାଜ୍ୟରେ ଦାଦନ ଖଟୁଥିବା ମନ୍ମଥ ଏବେ ନିଜସ୍ୱ ଉଦ୍ୟମରେ ନିଜେ ରୋଜଗାର କରୁଛନ୍ତି । ଚାଷ କାମକୁ ଆପଣାଇ ନିଜେ ଆତ୍ମନିର୍ଭର ହୋଇପାରିଛନ୍ତି । ଆଉ ଏହି ଚାଷ କାମ ତାଙ୍କୁ ଲକ୍ଷପତି କରିଛି । ତାଙ୍କ ଆର୍ଥିକ ସ୍ଥିତରେ ସୁଧାର ଆଣିପାରିଛି ।