ତାତିଠାରୁ ବଳିଯାଇଛି ବିଜୁଳି ବିଲ୍ କଷ୍ଟ: ଏସି ଲଗାଇବାକୁ ମାଡୁଛି ଡର

864

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅନେକ ସ୍ଥାନରେ ଏବେ ତାପପାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗରମରୁ ମୁକ୍ତି ପାଇଁ ଘରେ ଘରେ ଲାଗିଛି ଏସି, କୁଲର ଓ ଫ୍ୟାନ । ଗରମରୁ ସିନା ମୁକ୍ତି ମିଳୁଛି, କିନ୍ତୁ ବିଜୁଳି ବିଲ୍ ଗ୍ରାହକଙ୍କୁ ଚମକାଇ ଦେଉଛି । ଯେଉଁଠି ମାସକୁ ୫ ଶହରୁ ୭ ଶହ ଟଙ୍କା ବିଲ୍ ଆସୁଥିଲା, ମାର୍ଚ୍ଚ ଓ ଏପ୍ରିଲ ମାସରେ ତାହା ୩ରୁ ୪ ହଜାର ଟଙ୍କାରେ ପହଁଚି ଯାଇଛି । ତାତି ଯେତିକି ବଢୁଛି ତାକୁ ତାଳ ଦେଇ ବିଜୁଳି ବିଲ୍ ମଧ୍ୟ ସେତିକି ଆସୁଛି । ଖରାରେ ବାହାରକୁ ବାହାରିଲେ ଅଂଶୁଘାତର ଭୟ । ଘରେ ଏସି କିମ୍ବା କୁଲର ଲଗାଇଲେ ବିଜୁଳି ବିଲ୍ ଚିନ୍ତା ।

କୌଣସି ଗୋଟିଏ କିମ୍ବା ଦୁଇଟି ସ୍ଥାନ ନୁହେଁ । ସାରା ରାଜ୍ୟରେ ସ୍ଥିତି ସମାନ । ଏପ୍ରିଲ ୧୯ରେ ଭୁବନେଶ୍ୱର ସହରର ବିଦ୍ୟୁତ ଚାହିଦା ଟିପିସିଓଡିଏଲ ଦ୍ୱାରା ପୂରଣ କରାଯାଇଛି । ଗତ ବର୍ଷ ତୁଳନାରେ ଏହା ୧୬ ପ୍ରତିଶତ ଅଧିକ ରହିଛି । ଜୁନ ୨୦୨୩ରେ ୫୮୮ ମେଗାୱାଟ୍ ସର୍ବୋଚ୍ଚ ଚାହିଦାକୁ ମଧ୍ୟ ଏହା ଅତିକ୍ରମ କରିଛି । ତେବେ ଏସି ବ୍ୟବହାର ବଢୁଥିବାରୁ ଏହା ମଧ୍ୟ ତାତି ବଢ଼ିବାର ଏକ କାରଣ ବୋଲି କହିଛନ୍ତି ଶକ୍ତି ବିଶେଷଜ୍ଞ । ତାତି ବଢୁଥିବା ବେଳେ ଆଗକୁ ସ୍ଥତିରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ । ତେଣୁ ବିଜୁଳି ବିଲ୍ ଚିନ୍ତାରେ ଘାଂଟି ହେଉଛନ୍ତି ସାଧାରଣ ଖାଉଟି ।