ବିଦ୍ୟୁତପ୍ରଭାଙ୍କ ପ୍ରେରଣାଦାୟୀ କାହାଣୀ: କପଡ଼ା ସିଲେଇ କରି ନିଜ ପରିଚୟ ନିଜେ ତିଆରି କରିଛନ୍ତି

89

କନକ ବ୍ୟୁରୋ: କୁହାଯାଏ ସଂଘର୍ଷରୁ ସଫଳତା ମିଳେ । କଠିନ ପରିସ୍ଥିତ ମଣିଷକୁ ନୂଆକିଛି କରିବାକୁ ବାଧ୍ୟ କରିଥାଏ । ଆଉ ସେହି କାମ ପରବର୍ତି ମୁହୁର୍ତରେ ମଣିଷକୁ ଏକ ନୂଆ ପରିଚୟ ଦିଏ । ସେହିଭଳି ଏକ କାହାଣୀ ବାଲେଶ୍ୱରର ବିଦ୍ୟୁତପ୍ରଭାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

ବାଲେଶ୍ୱରର ବିଦ୍ୟୁତ୍ପ୍ରଭା ମହାନ୍ତି । ଦିନେ ଜଣେ ସାଧାରଣ ଗୃହିଣୀ ଥିଲେ । ସ୍ୱାମୀ ବ୍ୟାଙ୍କରେ ଚାକିରୀ କରୁଥିଲେ । ସ୍ୱାମୀଙ୍କ ପ୍ରେରଣାରେ ୨୦୧୪ ମସିହାରେ ୧୨ ଜଣ ମହିଳାଙ୍କୁ ନେଇ ଗଠନ କଲେ ରୁଦ୍ରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ । ମାସକୁ ୫୦୦ ଟଙ୍କା ଲେଖାଏଁ ବ୍ୟାଙ୍କରେ ଜମା କରୁଥିଲେ । ଏହା ପରେ ଜମା ଟଙ୍କାକୁ ବିନିଯୋଗ କରି ସିଲେଇ କାମ ଆରମ୍ଭ କଲେ । ମହିଳା ମାନଙ୍କ ଡ୍ରେସ୍, ସାୟା, ବ୍ଲାଉଜ ଓ ସ୍କୁଲ ପିଲାଙ୍କ ଡ୍ରେସ୍ ସିଲେଇ କରି କିଛି କିଛି ରୋଜଗାର କଲେ । ସେବେଠୁ ଆଉ ପଛକୁ ଫେରିନାହାନ୍ତି ବିଦ୍ୟୁତ୍ପ୍ରଭା । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଏହି କାମକୁ ସେ ବଂଚିବାର ଲକ୍ଷ୍ୟ ଭାବେ ମାନିନେଇଛନ୍ତି । ତାଙ୍କ ସହ ଅନ୍ୟ ମହିଳା ମାନେ ମଧ୍ୟ ଯୋଡ଼ି ହୋଇଛନ୍ତି । ଏବେ ୧୫ ଜଣ ଏସଏଚଜି ମହିଳାଙ୍କ ବ୍ୟତିତ ଅନ୍ୟ ମହିଳା ମାନେ ସିଲେଇ କାମ କରି ଆତ୍ମନିର୍ଭର ହୋଇପାରିଛନ୍ତି ।

ସ୍କୁଲ ଡ୍ରେସ୍, ଅଙ୍ଗନୱାଡ଼ି ଡ୍ରେସ୍, ହସ୍ପିଟାଲ ଡ୍ରେସ, ଆପ୍ରୋନ, ଟୋପି ସିଲେଇ କରୁଛନ୍ତି ଏହି ମହିଳା ମାନେ । ଏହା ସହ ବଳକା କପଡ଼ାରୁ ବିଭନ୍ନ ପ୍ରକାର ଷ୍ଟାଇଲର କପଡ଼ା ବ୍ୟାଗ୍ ତିଆରି କରି ଲୋକଙ୍କୁ ବିକ୍ରି କରୁଛନ୍ତି । ଯାହା ଗ୍ରାହକଙ୍କୁ ବେଶ ଆକୃଷ୍ଟ କରୁଛି । ଛୋଟ ପିଲାମାନଙ୍କ ପାଇଁ ଫ୍ରକ୍, ମାସ୍କ, ଜ୍ୟାକେଟ୍ ତିଆରି କରୁଛନ୍ତି । ଏହି କାମ କରି ବିଦ୍ୟୁତ୍ପ୍ରଭା ମାସକୁ ୨୦ରୁ ୩୦ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ମହିଳା ମାନେ ନିଜର ଘର କାମ କରି ୭ରୁ ୮ ହଜାର ଟଙ୍କା ରୋଜଗାର କରୁଛନ୍ତି । ଏବେ ବର୍ଷକୁ ସର୍ବମୋଟ ୧୭ ଲକ୍ଷ୍ୟ ଟଙ୍କାର ବ୍ୟବସାୟ ହେଉଛି । ସିଲେଇ କାମକୁ ଆହୁରି ଆଗକୁ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏହି କାମ ତାଙ୍କୁ ରୋଜଗାର ଦେବା ସହ ଆତ୍ମସମ୍ମାନ ଦେଇଥିବା ସେ କହିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ପରିବେଶ ସୁରକ୍ଷା ପାଇଁ କାମ କରୁଛନ୍ତି ଏହି ଗ୍ରୁପର ସଦସ୍ୟା । ପଲିଥିନ୍ ମୁକ୍ତ ପରିବେଶ ଗଠନ କରିବା ପାଇଁ କପଡ଼ା ବ୍ୟାଗ୍, ମୋବାଇଲ ବ୍ୟାଗ୍, ଜୁଏଲାରୀ ବ୍ୟାଗ୍ ଭଳି ସୁନ୍ଦର ସୁନ୍ଦର ଜିିନିଷ ତିଆରି କରୁଛନ୍ତି ।

ମହିଳା ମାନେ ଘରେ ରହି ନିଜସ୍ୱ ଉଦ୍ୟମରେ କିଭଳି ନିଜେ ଆତ୍ମନିର୍ଭର ହୋଇପାରିବେ ଏହି ଗ୍ରୁପର ଲକ୍ଷ୍ୟ ରହିଛି । ପ୍ରଥମେ ୧ ଲକ୍ଷ ଟଙ୍କାର ରୁଣ ଆଣିଥିଲେ ମହିଳା । ଓରମାସ୍ ମହାୟତାରେ ରୁଣ ନେଇ ସେମାନେ ଉପକୃତ ହୋଇପାରୁଛନ୍ତି । ପ୍ରତ୍ୟେକ ସିଜିନରେ ଜିନିଷ ବିକ୍ରି କରି ଲାଭବାନ ହେଉଛନ୍ତି ଏହି ଗ୍ରୁପରୁ ସଦସ୍ୟା ।