ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା : ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାରେ ମିଳିବ ସୁବିଧା, କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

1,189

କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା । ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ । ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲକୁ ଆସିବାକୁ ପଡ଼ିବନି । ସେମାନଙ୍କୁ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି । ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଯୋଜନାର ଉଦ୍‌ଘାଟନ କରିବେ ।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଏବେ ଚାରିଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଆରମ୍ଭ ହେବ । ଏହି ଚାରିଟି ଜିଲ୍ଲାରେ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା କଷ୍ଟକର ହେଉଥିବାରୁ ଏବଂ ବହୁ ଡାକ୍ତର ସେଠାରେ ରହିବାକୁ ରାଜି ହେଉନଥିବାରୁ ଏହି ଯୋଜନା ଦ୍ବାରା ଗୁଣାତ୍ମକ ଚିକିତ୍ସା ଯୋଗାଇ ହେବ । ଏହି ଯୋଜନାରେ ଜଣେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ କେଉଁ କେଉଁ ବିଶେଷଜ୍ଞ ଡାକ୍ତର ଆବଶ୍ୟକ ସେନେଇ ଏକ ତାଲିକା ପ୍ରସ୍ତୁତ କରି ସ୍ବାସ୍ଥ୍ୟ ବିଭାଗକୁ ପଠାଯିବ ।

ଏଠାରୁ ପୂର୍ବରୁ ସ୍ବତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍‌ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରୁ ଆବଶ୍ୟକ ଡାକ୍ତରଙ୍କୁ ତୁରନ୍ତ ହେଲିକପ୍ଟ‌ରରେ ପଠାଯିବ। ସେମାନେ ଅପରେସନ୍ ବା ଚିକିତ୍ସା କରିବା ପରେ ଭୁବନେଶ୍ବର ‌ଫେରିଆସିବେ । ଏବେ ଏସ୍‌ସିବିର କିଛି ଡାକ୍ତରଙ୍କୁ ନେଇ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି। ପରେ ଏମ୍‌କେସିଜି, ବୁର୍ଲା ଏବଂ ବିଏସ୍‌କେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଘରୋଇ ଡାକ୍ତରଙ୍କୁ ବି ଏହି ସ୍ବତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍‌ କରାଯିବ ।

ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁପର ସ୍ପେଶାଲିଟି ସେବା ସହ ଅତ୍ୟାଧୁନିକ ଓଟି, ଆବଶ୍ୟକୀୟ ଔଷଧ, ସରଞ୍ଜାମ ଆଦି ରଖାଯିବ । ଏହି ଯୋଜନାରେ ଡାକ୍ତର ରୋଗୀଙ୍କ ପାଖରେ ପହଞ୍ଚିବେ । ତେଣୁ ରୋଗୀକୁ ଅଧିକ କଷ୍ଟ ସହିବାକୁ ପଡ଼ିବନି କି ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବିପ୍ଳବ ଆଣିବ । ହେଲେ ଏହି ଯୋଜନାରେ ହେଲି‌କପ୍ଟର ମିଳିବା ବାଧକ ସାଜିପାରେ । ହେଲିକପ୍ଟର ଭଡ଼ା ଏବେ ଘଣ୍ଟାକୁ ପ୍ରାୟ ଲକ୍ଷେରୁ ୪ଲକ୍ଷ ଟଙ୍କା ପଡ଼ୁଥିବାବେଳେ ରାଜ୍ୟ ସରକାର ମାସକୁ କେତେ ଥର କେଉଁ ଜିଲ୍ଲାକୁ କେତେ ହେଲିକପ୍ଟର ପଠାଇବେ , ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ।